ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗୁ କରିବାରେ ଓଡ଼ିଶା ୨୪ ତମ ରାଜ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗୁ କରିବା ପରେ ବିବାଦ ମୁଣ୍ଡ ଟେକିଛି । ସରକାରଙ୍କ ଏଭଳି ପଦକ୍ଷେପକୁ କଡ଼ା ନିନ୍ଦା କରିଛନ୍ତି ରାଜ୍ୟବାସୀ । ସେପଟେ କିଛି ଦିନ ପୂର୍ବରୁ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ବା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍କୁ ସମସ୍ତ ପୁରୁଣା ଗାଡ଼ିରେ ଲଗାଇବା ପାଇଁ ରାଜ୍ୟ ପରିବହନ ବିଭାଗ ବାଧ୍ୟତାମୂଳକ କରିଥିଲେ । ଏନେଇ ଦିନକୁ ଦିନ ବଢ଼ୁଥିବା ବିବାଦ ସତ୍ତ୍ୱେ ରାଜ୍ୟ ସରକାର ଏହା ଉପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ହେଲେ ରାଜ୍ୟ ପରିବହନ କମିସନଙ୍କ କାର‌୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ଯେ କେବଳ ଓଡ଼ିଶା ନୁହେଁ, ଦେଶର ୨୩ ରାଜ୍ୟ ଏହାକୁ ଲାଗୁ କଲେଣି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ହିଁ ପଦକ୍ଷେପ ନିଆଯାଇଛି। ଦୁଇ ଦିନରେ ୧୫ ହଜାରରୁ ଅଧିକ ଲୋକ ଏଥିପାଇଁ ଆଗ୍ରହ ଦେଖାଇ ଆବେଦନ କରିଛନ୍ତି।

ଅନ୍ୟପଟେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ କେତେ ଉପଯୋଗୀ? ଏମିତି ଗୋଟିଏ ପ୍ରଶ୍ନ ଉପରେ ବିତର୍କ ବଢ଼ିବାରେ ଲାଗିଛି। ରାଜ୍ୟରେ ମାତ୍ର ୪ଟି ସ୍ବୀକୃତିପ୍ରାପ୍ତ ସଂସ୍ଥାକୁ ଏହି ନମ୍ବର ପ୍ଲେଟ୍ ତିଆରି ପାଇଁ ଅନୁମତି ଦିଆଯାଇଥିବାରୁ ଓଡ଼ିଶା ନମ୍ବର ପ୍ଲେଟ୍ ଆଣ୍ଡ ଷ୍ଟିକରିଂ ଆର୍ଟିଷ୍ଟ ସଂଘ ଏହାକୁ ତୀବ୍ର ବିରୋଧ କରିଥିଲା। ଏମିତିକି ଏହି ନମ୍ବର ପ୍ଲେଟ୍ରେ କିରାସିନି ଓ ପେଟ୍ରୋଲ୍ ଲାଗିଲେ ଲିଭି ଯାଉଥିବା ଏବଂ ନିମ୍ନମାନର ଥିବା କହିଥିଲା। କିଭଳି ଲିଭି ଯାଉଛି, ତା’ର ଡେମୋ ମଧ୍ୟ ଦେଖାଇଥିଲା। ନମ୍ବର ପ୍ଲେଟ୍ ତିଆରି କାମ ମାତ୍ର ୪ଟି ସଂସ୍ଥାକୁ ଦିଆଯିବା ଦ୍ବାରା ରାଜ୍ୟର ୨୦ ହଜାର ଆର୍ଟିଷ୍ଟଙ୍କ ପରିବାର ସଂକଟରେ ପଡ଼ିଥିବା ସଂଘ ଦର୍ଶାଇଛି। ତେଣୁ ରାଜ୍ୟର ଆର୍ଟିଷ୍ଟମାନଙ୍କୁ ଅନୁମତି ଦେବାକୁ ସଂଘ ଦାବି କରିଛି।

Related Posts