ଭୁବନେଶ୍ୱର, (ସତ୍ୟପାଠ ବ୍ୟୁରୋ) ତା ୮/୪/୨୬: ଗତ କିଛି ଦିନ ଧରି ବେଦାନ୍ତ କମ୍ପାନୀ ସ୍ୱାର୍ଥରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳି ଅଞ୍ଚଳରେ ଚାଲିଥିବା ପୋଲିସ୍ ଜୁଲମ୍ ତଥା ରାଷ୍ଟ୍ର ହିଂସା ବିରୋଧରେ ଆଜି ସଚେତନ ନାଗରିକ ମଞ୍ଚ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ ଗଣ ପ୍ରତିବାଦ ଆୟୋଜିତ ହୋଇଯାଇଛି । ବିଶେଷକରି ଗତ ୬ ଅପ୍ରେଲ ରାତିରେ କଣ୍ଟାମାଳର ଗ୍ରାମବାସୀମାନଙ୍କ ଉପରେ ପୁଲିସର ବର୍ବରୋଚିତ ହିଂସାକାଣ୍ତଙ୍କୁ ଓଡ଼ିଶାର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏକ ଗଣତାନ୍ତ୍ରିକ ଦେଶରେ ବେଦାନ୍ତ ଓ ତା’ର ମୈତ୍ରୀ ନାମକ ଠିକା କମ୍ପାନୀ ଦ୍ୱାରା ବକ୍ସାଇଟ ଖଣି ଖନନକୁ ବିରୋଧ କରୁଥିବା ଆଦିବାସୀ ଓ ଦଳିତ ଜନସାଧାରଣଙ୍କ ଉପରେ ପୋଲିସ୍ ମନମୁଖି ଗିରଫ, ହିଂସା ଓ ଦମନଲୀଳା ଚଳାଇବାକୁ ସେମାନେ ଆଜିର ପ୍ରତିବାଦରେ ଦୃଢ଼ ସମାଲୋଚନା କରିଛନ୍ତି।
ସମଗ୍ର ରାୟଗଡ଼ା ଜିଲ୍ଲା ତଥା ସିଜମାଳି ଅଞ୍ଚଳ ଭାରତୀୟ ସମ୍ୱିଧାନର ପଞ୍ଚମ ଅନୁସୂଚୀ ଅଞ୍ଚଳର ଅଂଶବିଶେଷ ହୋଇଥିବାବେଳେ ଗ୍ରାମସଭା ତଥା ସ୍ଥାନୀୟ ଜନସାଧାରଣଙ୍କ ବିନା ସମ୍ମତିରେ ବେଦାନ୍ତ କମ୍ପାନୀ ହାତରେ ସିଜିମାଳି ପର୍ବତକୁ ଖଣି ଖନନ ପାଇଁ ଟେକି ଦିଆଯାଇଛି। ଏହି ଖଣି ଖନନ ପ୍ରସ୍ତାବକୁ ବାତିଲ କରିବା ପାଇଁ ସେମାନେ “ମା ମାଟି ମାଳି ସୁରକ୍ଷା ମଞ୍ଚ” ନେତୃତ୍ୱରେ ଗଣତାନ୍ତ୍ରିକ ଉପାୟରେ ଲଢ଼େଇ କରିଆସୁଛନ୍ତି । ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଦ୍ୱାରା ଅନୁଷ୍ଠିତ ଜନଶୁଣାଣିରେ ସେମାନେ ଏହାକୁ ସଂପୂର୍ଣ୍ଣ ଭାବେ ବାତିଲ୍ କରିବା ପାଇଁ ଦାବି କରି ଆସୁଛନ୍ତି। ସେହିଭଳି ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଗ୍ରାମସଭାରେ ଏହି ପ୍ରକଳ୍ପ ସେମାନଙ୍କ ଜୀବନଜୀବିକା ଓ ସାଂସ୍କୃତିକ ଅସ୍ମିତାକୁ ଧ୍ୱଂସ କରିବ ବୋଲି ଏହି ପ୍ରକଳ୍ପ ବିରୋଧରେ ସେମାନଙ୍କର ସ୍ପଷ୍ଟ ମତ ବ୍ୟକ୍ତ କରିଆସିଛନ୍ତି । କିନ୍ତୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ତଥା ଆନ୍ଦୋଳନକୁ ଦମନ କରିବା ପାଇଁ ଗତ ମାର୍ଚ୍ଚ ୧୦ ତାରିଖରେ ପୋଲିସ୍ ୧୦ ଜଣ ମହିଳାଙ୍କ ସମେତ ୨୧ ଜଣ ଆଦିବାସୀଙ୍କୁ ଗିରଫ୍ କରିଛନ୍ତି। ପୋଲିସ୍ ଏକ ଆଇନର ଗଣ୍ଡି ଭିତରେ କାମ କରିବା ବଦଳରେ ଏଭଳି ହିଂସ୍ର ଆଚରଣ କରୁଛି ଯେ ତାହା କମ୍ପାନୀ ଏଜେଣ୍ଟ ଭଳି କାମ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ସେମାନେ ଅଭିଯୋଗ କରିଛନ୍ତି। କଣ୍ଟାମାଳ ଓ ତଳଆମପଦର ଗାଁରେ ସଶସ୍ତ୍ର ପୁଲିସ ବଳର ବ୍ୟାପକ ଉପସ୍ଥିତି ଏବଂ ଗାଁ ଗାଁରେ ମଞ୍ଚର ନେତାମାନଙ୍କୁ ମିଥ୍ୟା ମକଦ୍ଦମା ଜରିଆରେ ଗିରଫ୍ କରିବାକୁ ପୋଲିସ୍ ଗାଁ ଗାଁ ରେ ପଇଁତରା ମାରୁଛି ଏବଂ ଏଥିପାଇଁ ଆକାଶ ମାର୍ଗରେ ଡ୍ରୋନ ବ୍ୟବହାର କରୁଛି।
ନିତିଦିନିଆ କାମ ପାଇଁ ଜଙ୍ଗଲ ଓ ନଦୀକୁ ଯିବା ଅସମ୍ଭବ ହୋଇପଡ଼ିଛି । ଔଷଧ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ଲୋକେ ଭୟରେ ଦୋକାନକୁ ମଧ୍ୟ ଯାଉନାହାନ୍ତି । ମାର୍ଚ୍ଚ ୨୭ ତାରିଖରେ ଆନ୍ଦୋଳନର ଉପଦେଷ୍ଟା ଲିଙ୍ଗରାଜ ଆଜାଦ୍ ଏବଂ ସୁରେଶ ସଂଗ୍ରାମଙ୍କୁ ଗିରଫ୍ କରାଯାଇଛି। ବେଦାନ୍ତ କମ୍ପାନୀ ପାଇଁ ରାସ୍ତା ନିର୍ମାଣ କରିବାକୁ ସେଠାରେ ଅପ୍ରେଲ ୩ ତାରିଖ ସନ୍ଧ୍ୟାରୁ ନିଷେଧାଦେଶ ଜାରି (ଭାରତୀୟ ନ୍ୟାୟ ସଂହିତା ର ଧାରା ୧୬୩) କରାଯାଇଛି ଏହି ନିଷେଧାଦେଶକୁ ଶାନ୍ତିପୂର୍ଣ୍ଣ ଉପାୟରେ ତିନି ଧରି ଅମାନ୍ୟ କଲାପରେ ପୁଲିସ ହିଂସା ଆଚରଣ କରି ଅପ୍ରେଲ ୬ ତାରିଖ ମଧ୍ୟ ରାତ୍ରରେ କଣ୍ଟାମାଳ ଗାଁରେ ପ୍ରବେଶ କଲା । ଲୁହବୁହା ବାଷ୍ପ ପ୍ରୟୋଗ କରାଗଲା ଏବଂ ଗୋଟିଏ ଗାଈକୁ ମାରିଦିଆଗଲା । ପୁଲସିର ଲାଠିମାଡ଼ ହେତୁ ବହୁ ଲୋକ ଆହତ ହୋଇଛନ୍ତି । ଦୁଇ ଜଣ ମହିଳାଙ୍କ ମୁଣ୍ତରେ ଆଘାତ ହୋଇଛି । କିନ୍ତୁ ଭୟରେ ଲୋକମାନେ ଡାକ୍ତରୀ ଚିକିତ୍ସା ପାଇଁ ଯାଇ ପାରୁନାହାନ୍ତି ।
ଏହି ପରିପ୍ରେକ୍ଷୀରେ ସେହି ଅଞ୍ଚଳରୁ ନିଷେଧାଦେଶ ହଟାଇବା, ସମଗ୍ର ଅଞ୍ଚଳରୁ ପୋଲିସ୍ ପ୍ରତ୍ୟାହାର କରିବା, ବିନା ଗ୍ରାମସଭା ର ଅନୁମୋଦନରେ ବେଦାନ୍ତ କମ୍ପାନୀକୁ ଦିଆଯାଇଥିବା ସିଜିମାଳି ଖଣି ଲିଜ ବାତିଲ କରିବା, ଜଙ୍ଗଲ ଅଧିକାର ଆଇନ ଓ ପେସା ଆଇନ୍ କୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା, ଏହି ବିରୋଧକୁ କେନ୍ଦ୍ର କରି ରୁଜୁ ହୋଇଥିବା ସମସ୍ତ ମକଦ୍ଦମା ପ୍ରତ୍ୟାହାର କରିବା ଏବଂ ସଂପୃକ୍ତ ଅଞ୍ଚଳରେ ଲୋକମାନେ ଯେପରି ନିର୍ଭୟରେ ଜୀବନଯାପନ କରିପାରିବେ ସେଥିପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜିର ପ୍ରତିବାଦରେ ସେମାନେ ଦାବି କରିଛନ୍ତି।
ଏହି ପ୍ରତିବାଦରେ ମାନବାଧିକାର କର୍ମୀ ବିଶ୍ଵପ୍ରିୟ କାନୁନଗୋ, ରଞ୍ଜନା ପାଢ଼ୀ, ନରେନ୍ଦ୍ର ମହାନ୍ତି, ସୁଭାଷିନୀ ଭଦ୍ରା, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, କବି ଲେଲିନ କୁମାର, ବିଜୟ ବାରିକ୍, ସାମାଜିକ କର୍ମୀ ପ୍ରମୋଦିନୀ ପ୍ରଧାନ, ସସ୍ମିତା ଜେନା, ତନଭୀର ଅହମ୍ମଦ, ପ୍ରକାଶ କୁମାର ସାମନ୍ତସିଂହାର, ଡଃ ଶ୍ରୀଚରଣ ବେହେରା, ପ୍ରଶାନ୍ତ ପାଇକରାୟ, ବିଶ୍ୱନାଥ ପାତ୍ର, ଈସା ନାୟକ, ସଂଘମିତ୍ରା ଜେନା, ରୁମିତା କୁଣ୍ଡୁ, ଶ୍ରୀମନ୍ତ ମହାନ୍ତି, ସୂଚିସ୍ମିତା ଜେନା, ସ୍ୱାତୀ ମିଶ୍ର, ସିଦ୍ଧାର୍ଥ କର, ଅନିଲ୍ ମଲ୍ଲିକ, ବିଚିତ୍ର ପାତ୍ର, ଚାମ୍ବରୁ ସୋରେନ, ନିଗମଙ୍କ ସମେତ ଅନେକ ଯୁବ ଛାତ୍ର ଯୋଗ ଦେଇଥିଲେ।
