ବିଦେଶରୁ ଟୀକା କିଣିବ ଓଡ଼ିଶା

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ବର : ରାଜ୍ୟରେ କରୋନା ଟିକାର ଅଭାବକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସମସ୍ତ ରାଜ୍ୟ ବାସୀଙ୍କ ପାଇଁ ଟିକା ସୁନିଶ୍ଚିତ କରିବାକୁ ସରକାର ବିଶ୍ବର ବିଭିନ୍ନ ପ୍ରମୁଖ ଟିକା କମ୍ପାନୀରୁ ଟିକା କିଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଏକ ଗ୍ଲୋବାଲ୍ ଟେଣ୍ଡର ଜାରି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗକୁ ଏହାର ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟ ମେଡିକାଲ କର୍ପୋରେସନ୍ ପକ୍ଷରୁ ଏହି ଟେଣ୍ଡର୍‌ ଡକଯିବ। ଗ୍ଲୋବାଲ୍‌ ଟେଣ୍ଡର ପାଇଁ ରାଜ୍ୟ ସରକାର ଦୁଇଟି କମିଟି ଗଠନ କରିଛନ୍ତି । ଗୋଟିଏ ବୈଷୟିକ କମିଟି ଓ ଦ୍ୱିତୀୟଟି ପରିଚାଳନା କମିଟି । ବୈଷୟିକ କମିଟିରେ ଡି.ଏମ୍‌.ଇ.ଟି. ଓ ଆର୍‌.ଏମ୍‌.ଆର୍‌.ସି. ନିର୍ଦ୍ଦେଶିକାଙ୍କ ସମେତ ୧୦ ଜଣ ସଦସ୍ୟ ଥିବା ବେଳେ ପରିଚାଳନା କମିଟିରେ ନଅ ଜଣ ସଦସ୍ୟ ଅଛନ୍ତି । ବୈଷୟକ କମିଟିର ସଦସ୍ୟ ମାନେ ହେଉଛନ୍ତି – ଡିଏମ୍‌ଇଟି, ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା, ଡିଏଚ୍‌ଏସ୍‌(ଓ), ଡିଏଫ୍‌ଡବ୍ଲ୍ୟୁ(ଓ), ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌, ଏସ୍‌ଇପିଆଇଓ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରାଜ୍ୟ ପ୍ରତିନିଧି, ମେଡିକାଲ କ‌ର୍ପୋରେସନ୍‌ର ଜିଏମ୍‌(ଅପରେସନ୍, ଜିଏମ୍‌(କ୍ୟୁଏ) ଓ ଆସିଷ୍ଟାଣ୍ଟ୍‌ ମ୍ୟାନେଜର୍‌(ଡି ଆଣ୍ଡ୍‌ ଏସ୍)।  ସେହିପରି ପରିଚାଳନା କମିଟିର ସଦସ୍ୟ ମାନେ ହେଉଛନ୍ତି ମେଡିକାଲ କର୍ପୋରେସନ୍ ପରିଚାଳନା ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ, ଅର୍ଥ ବିଭାଗର ପ୍ରତିନିଧି, ଡିଏଫ୍‌ଡବ୍ଲ୍ୟୁ(ଓ), ମେଡିକାଲ କର୍ପୋରେସନ୍‌ର ଜିଏମ୍‌(ଅର୍ଥ), ଆସିଷ୍ଟାଣ୍ଟ୍‌ ଜିଏମ୍‌(ଅର୍ଥ), ଜିଏମ୍‌(ଅପରେସନ୍) ଓ ଆସିଷ୍ଟାଣ୍ଟ୍‌ ମ୍ୟାନେଜର୍‌(ଡି ଆଣ୍ଡ୍‌ ଏସ୍‌) ଏବଂ ଏନ୍‌ଏଚ୍‌ଏମ୍‌ର ସିନିୟର୍‌ କନ୍ସଲ୍‌ଟାଣ୍ଟ୍‌। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ,  ରାଜ୍ୟବାସୀଙ୍କୁ ଖୁବ୍ ଶୀଘ୍ର ଟିକାକରଣ ଏବଂ ଜୀବନଜୀବିକା ପୁଣି ଥରେ ସ୍ବାଭାବିକ ସ୍ଥିତିକୁ ଫେରାଇ ଆଣିବାରେ ଏହା ବିଶେଷ ସହାୟକ ହେବ। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର  କହିଛନ୍ତି ଯେ, କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଜ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ଟିକସକୁ ରାଜ୍ୟମାନଙ୍କ ମଧ୍ୟରେ ସଠିକ୍ ଭାବରେ ବାଣ୍ଟିବାର ଆବଶ୍ୟକତା ରହିଛି ବୋଲି କ୍ୟାବିନେଟରେ ମତ ପ୍ରକାଶ ପାଇଛି । ତେବେ କରୋନା ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର ଜାରି କରିବାରେ ଉତ୍ତର ପ୍ରଦେଶ ହେଉଛି ସମଗ୍ର ଦେଶରେ ପ୍ରଥମ ରାଜ୍ୟ । ମେ ୭ ତାରିଖରେ ଉତ୍ତର ପ୍ରଦେଶ ବର୍ଷ ଶେଷ ସୁଦ୍ଧା ୪ କୋଟି ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର ଜାରି କରି ସାରିଥିବା ବେଳେ ଏପ୍ରିଲ ମାସରେ ମହାରାଷ୍ଟ୍ର ସରକାର ମଧ୍ୟ ଗ୍ଲୋବାଲ ଟେଣ୍ଡର ଜାରିକରିବାକୁ ନିଷ୍ପତ୍ତି ନେଇଥିଲେ ।  କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଯୋଦ୍ଧାଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ କୋଭିଡ୍ ନିୟମ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ସେ ନିବେଦନ କରିଥିଲେ।

Related Posts