ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ମିଳିବ ୫ଜି ସେବା: ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶାକୁ ପ୍ରଥମ ପର୍ଯ୍ୟାୟରେ ମିଳିବ ୫ଜି ଟେଲିଫୋନ ସେବା। କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ଦିନ ପୁରୀଠାରେ ଆାୟୋଜିତ ବିଜେପିର ପ୍ରାଦେଶିକ ‌ପ୍ରଶିକ୍ଷଣ ଶିବିରରେ ଯୋଗଦେବା ଅବସରରେ ରାଜ୍ୟବାସୀଙ୍କୁ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଦେଶରେ ୧୩ଟି ସହରରେ ୫ଜି ସେବା ଆରମ୍ଭ ହେବ ବୋଲି କୁହାଯାଇଥିଲା। ତେବେ ସେଥିରେ ରାଜ୍ୟର ରାଜଧାନୀ ଭୁବନେଶ୍ବର କିମ୍ବା ଓଡ଼ିଶାର ଅନ୍ୟ କୌଣସି ସହର ସ୍ଥାନ ପାଇ ନଥିଲା। କେନ୍ଦ୍ରମନ୍ତ୍ରୀ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୫ଜି ସେବା ନମିଳିବା ଖବର ଅନେକଙ୍କୁ ଚକିତ କରିଥିଲା। ଆଜି କିନ୍ତୁ ମନ୍ତ୍ରୀ ଏ ନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଦେଶରେ ଖୁବଶୀଘ୍ର ୫ଜି ସେବା ଆରମ୍ଭ ହେବ। ଏଥିସହିତ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ମଧ୍ୟ ଏହି ସେବା ଉପଲବ୍ଧ ହେବ। ଦେଶରେ ଖୁବଶୀଘ୍ର ‌୫ଜି ସେବା ଆରମ୍ଭ କରିବା ଲାଗି ଦୂରସଂଚାର ବିଭାଗ ତ୍ବରିତ ବେଗରେ କାର୍ଯ୍ୟ କରୁଥିବା ସେ କହିଛନ୍ତି।ସେହିଭଳି ୫ଜି ସେବା ଆରମ୍ଭ ଦ୍ବାରା ଲୋକଙ୍କ ଉପରେ ଏହାର ବିକିରଣ ପ୍ରଭାବ ବଢ଼ିଯିବ ବୋଲି ଯାହା କୁହାଯାଉଛି ଏହାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ‌ବୈଷ୍ଣବ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଧାର୍ଯ୍ୟ ବିକିରଣ ତୁଳନାରେ ୧୦ ଗୁଣା କମ୍ ବିକିରଣ ହେବ।

ସୂଚନାଯୋଗ୍ୟ ଯେ, ଖୁବଶିଘ୍ର ଦେଶରେ ୫ଜି ସେବା ଲଞ୍ଚ ହେବାକୁ ଯାଉଛି। ନିକଟରେ ଭୋଡ଼ାଫୋନ ଆଇଡିଆ, ଏୟାରଟେଲ, ରିଲାଏନ୍ସ ଜିଓ ଏବଂ ଆଦାନି ଡାଟା ଏଣ୍ଟରପ୍ରାଇଜେସ୍‌ ୫ଜି ସ୍ପେକ୍ଟ୍ରମ କିଣି ସାରିଛନ୍ତି। ଆସନ୍ତା ଦୀପାବଳି ସୁଦ୍ଧା ଦେଶରେ ୫ଜି ସେବା ଜିଓ ଆରମ୍ଭ କରିବ ବୋଲି କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି ରିଲାଏନ୍ସର ବାର୍ଷିକ ସାଧାରଣ ପରିଷଦ ବୈଠକରେ ସୂଚନା ଦେଇଥିଲେ।

Related Posts