‘ସାଧାରଣତନ୍ତ୍ର ଦିବସ ପୂର୍ବରୁ ଓଡ଼ିଶାରେ ମିଳିବ ୫ଜି ସେବା’: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ଏକ ମାସ ଭିତରେ ଓଡ଼ିଶାକୁ ମିଳିବ ୫ଜି ସେବା। ଆସନ୍ତା ସାଧାରଣତନ୍ତ୍ର ଦିବସ ଅର୍ଥାତ୍ ଜାନୁଆରୀ ୨୬ ତାରିଖ ପୂର୍ବରୁ ଓଡ଼ିଶାରେ ୫ଜି ସେବା ମିଳିବ। ଆଜି ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ରେଳ ଓ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଏହି ଅବସରରେ ସେ କହିଛନ୍ତି ଯେ, ରେଲୱେ ଏବଂ ଟେଲିକମ୍‌ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା ହେଉଛି ବୋଲି କୁହାଯାଉଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିକମ ପାଇଁ ୫ ହଜାର ୬ ଶହ କୋଟି ଟଙ୍କା ଓଡ଼ିଶାକୁ ଦେଇଛନ୍ତି। ଓଡ଼ିଶାର ଯାହା ଦରକାର ସେସବୁ ମୋଦି ଦେଇଛନ୍ତି। ତେଣୁ ତାଙ୍କ ଆଗରେ କେହି ଆଉ ଅଭିଯୋଗ ରଖିପାରିବେନି।

କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଯେଉଁ ଯେଉଁ ଗାଁରେ ମୋବାଇଲ ଟାୱାର ନ ଥିଲା, ତାର ସର୍ଭେ କରିବା ପାଇଁ ମୋଦି ଜି ମୋତେ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ଗାଁରେ ୪ଜି ନେଟୱାର୍କ ପହଞ୍ଚିବା ଦରକାର ବୋଲି କହିଥିଲେ। ଓଡ଼ିଶାର ପ୍ରତି ଗାଁରେ ୪ଜି ନେଟୱାର୍କ ପହଞ୍ଚିବ ବୋଲି ମୋଦି ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆହୁରି କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳ ବିକାଶ ଲାଗି ଓଡ଼ିଶା ପାଇଁ ୧୦ ହଜାର କୋଟି ଟଙ୍କା ଦେଇଛନ୍ତି। କେନ୍ଦ୍ର ସରକାରଙ୍କର ଇଚ୍ଛା ଶକ୍ତି ଅଛି, ଅର୍ଥ ଅଛି। ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଲାଗି ମୋଦୀଙ୍କର ଆନ୍ତରିକ ଇଚ୍ଛା ଅଛି। ରାଜନୀତିର ଉପରକୁ ଉଠି କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ ପାଇଁ ଆଜି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁର ରାଉତରାୟ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ।

Related Posts