‘ମୁଁ ନୃସିଂହନାଥଙ୍କୁ ପ୍ରାର୍ଥନା କରୁଛି ତାଙ୍କୁ ପ୍ରତିଶ୍ରୁତି ମନେପକାଇ ଦିଅନ୍ତୁ’; ପଦ୍ମପୁରରୁ କେନ୍ଦ୍ରମନ୍ତ୍ରୀମାନଙ୍କୁ ନବୀନଙ୍କ ଟାର୍ଗେଟ

ଭୁବନେଶ୍ୱର,୧୯/୨(ସତ୍ୟପାଠ ବ୍ୟୁରୋ): ଉପନିର୍ବାଚନ ପରେ ଆଜି ପ୍ରଥମ ଥର ପାଇଁ ପଦ୍ମପୁର ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ପୁରୁଣା ପ୍ରତିଶ୍ରୁତି ପୂରଣ କରିବା ସହିତ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ହେବ। ଆଜି ପଦ୍ମପୁର ଗସ୍ତ ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ଦିନ ଧରି ପଦ୍ମପୁର ଜିଲ୍ଲା ମାନ୍ୟତା ନେଇ ଦାବି ରହିଛିା ଏନେଇ ସରକାର କାର୍ଯ୍ୟ କରୁଛନ୍ତି, ଆଗାମୀ ବର୍ଷେ ମଧ୍ୟରେ ପଦ୍ମପୁରକୁ ଜିଲ୍ଲା ଭାବେ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ଖାଲି ଏତିକି ନୁହେଁ ଏହି ଅବସରରେ ନାଁ ନନେଇ କେନ୍ଦ୍ରମନ୍ତ୍ରୀମାନଙ୍କୁ କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି ନବୀନ। ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀମାନେ ପଦ୍ମପୁର ଗସ୍ତ କରିଥିଲେ ଓ ସେ ସମୟରେ ଦେଇଥିବା ପ୍ରତିଶ୍ରୁତି ମନେ ପକାନ୍ତୁ ବୋଲି ସେ କହିଛନ୍ତି। ରେଲୱେ ପ୍ରକଳ୍ପ ଓ ଫସଲବୀମା, କେନ୍ଦୁପତ୍ର ସବସିଡିକୁ ନେଇ ଅନେକ ପ୍ରତିଶ୍ରୁତି ଦେଇଥିଲେ ପ୍ରଭୁ ନୃସିଂହନାଥଙ୍କୁ ପ୍ରାର୍ଥନା କରୁଛି, ସେସବୁ ପ୍ରତିଶ୍ରୁତି କେନ୍ଦ୍ରମନ୍ତ୍ରୀମାନଙ୍କୁ ମନେ ପକାଇ ଦିଅନ୍ତୁ ବୋଲି କହିଛନ୍ତି ନବୀନ।

ସୂଚନା ଥାଉକି, ଉପନିର୍ବାଚନ ବେଳେ ରେଳୱେ ପ୍ରକଳ୍ପ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦୁପତ୍ର ସବସିଡି ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଥିଲେ।

ଅନ୍ୟପଟେ, ନବୀନଙ୍କ ଅଭିଯୋଗ ନେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ ରାଜ୍ୟ ସରକାରଙ୍କ ଉପରେ ପାଲଟା ଅଭିଯୋଗ କରିଛନ୍ତିା ସେ କହିଛନ୍ତି, ନବୀନ ବାବୁ ଆଗ ପଦ୍ମପୁରକୁ ଚିହ୍ନନ୍ତୁ। ସମସ୍ୟାକୁ ବୁଝନ୍ତୁ। ରେଳ ପ୍ରକଳ୍ପ ପାଇଁ ଜମି ଏବେ ଯାଏଁ ରାଜ୍ୟ ସରକାର ଦେଲେନି। ପଦ୍ମପୁରରେ ଚାଷୀ ଆବଶ୍ୟକ କରୁଥିବା ଜଳସେଚନ ବ୍ୟବସ୍ଥା ମିଳିପାରୁନି। ମୁଖ୍ୟମନ୍ତ୍ରୀ ଏଠାରେ ସୌଜନ୍ୟତା ଭୁଲିଗଲେ। ସରକାରୀ ସଭାକୁ ଲୋକପ୍ରତିନିଧିଙ୍କୁ ବି ଡାକିଲେନି। ଜିଲ୍ଲା ଘୋଷଣା ପାଇଁ ବର୍ଷେ ସମୟ ନେବାର ଆବଶ୍ୟକତା କ’ଣ ଥିଲା? ପଦ୍ମପୁର ବିକାଶ ପାଇଁ ରେଳ ଲାଇନ ନିହାତି ଦରକାର। ଯଦି ବିକାଶ ଚାହୁଁଛନ୍ତି ଜମି ଅଧିଗ୍ରହଣ କରି କେନ୍ଦ୍ରକୁ ଜଣାନ୍ତୁ। ରାଜ୍ୟ ସରକାର ପ୍ରସ୍ତାବକ ହୁଅନ୍ତୁ। ମୁଁ କେନ୍ଦ୍ରରୁ ମଞ୍ଜୁର କରାଇବି ବୋଲି କହି ଶ୍ରୀ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତିା

Related Posts