‘ଓଡ଼ିଶୀ ସଙ୍ଗୀତ’କୁ ମିଳିବନି ଶାସ୍ତ୍ରୀୟ ମାନ୍ୟତା, ରାଜ୍ୟସଭାରେ ସୂଚନା ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ‘ଓଡ଼ିଶାୀ ସଙ୍ଗୀତ’କୁ ମିଳିବନି ଶାସ୍ତ୍ରୀୟ ମାନ୍ୟତା। ଏ ନେଇ ସଂସଦରେ ସୂଚନା ଦେଲେ କେନ୍ଦ୍ର ସରକାର। ପ୍ରାୟ ଦୁଇ ହଜାର ବର୍ଷ ପୁରୁଣା ‘ଓଡ଼ିଶାୀ ସଙ୍ଗୀତ’କୁ ଶାସ୍ତ୍ରୀୟ ମାନ୍ୟତା ଦାବି ଉଠି ଆସୁଥିବା ବେଳେ କେନ୍ଦ୍ର ସରକାର ପରୋକ୍ଷରେ ମନା କରିଦେଇଛନ୍ତି। ରାଜ୍ୟସଭାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଷାନ ରେଡ୍ଡୀ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ସଙ୍ଗୀତ, ନୃତ୍ୟ ଓ ଡ୍ରାମାର ଜାତୀୟ ଏକାଡେମୀ ଭାବେ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସଙ୍ଗୀତ ନାଟକ ଏକାଡୋମୀ ‘ଶାସ୍ତ୍ରୀୟ’ ଶବ୍ଦର ଉପଯୋଗ କରି ନଥାଏ। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ସୂଚନା ଏବେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ହେଉଥିବା ଆଶା ଏବେ ଧୂଳିସାତ ହୋଇଯାଇଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ସଙ୍ଗୀତ ନାଟକ ଏକାଡେମୀ ହେଉଛି ସଙ୍ଗୀତ, ନୃତ୍ୟ ଓ ଡ୍ରାମାର ଜାତୀୟ ଏକାଡେମୀ। ଏହି ଏକାଡେମୀ ଦ୍ୱାରା ‘ଶାସ୍ତ୍ରୀୟ’ ଶବ୍ଦର ଉପଯୋଗ କରାଯାଇନଥାଏ। ଏହି ଏକାଡେମୀର ମାତ୍ର ଦୁଇଟି ମୁଖ୍ୟ ଶାଖା ରହିଛି ଗୋଟିଏ ହେଉଛି ହିନ୍ଦୁସ୍ତାନୀ ସଙ୍ଗୀତ ଏବଂ ଅନ୍ୟଟି କର୍ଣ୍ଣାଟକୀ ସଙ୍ଗୀତ। ତେଣୁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପ୍ରକ୍ରିୟା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅନ୍ତର୍ଗତ ଆସୁନାହିଁ ବୋଲି ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ, ” ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶୀ ସଙ୍ଗୀତ ପାଇଁ ୨୦୧୧ରେ ଗୋପାଳ ଚନ୍ଦ୍ର ପଣ୍ଡା ଓ ୨୦୧୩ରେ ବଙ୍କିମ ସେଠୀଙ୍କୁ ପୁରସ୍କୃତ କରାଯାଇଛି।

ବିଜେଡିର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ ଯେ ‘ସ୍ୱର ଓ ବାଦ୍ୟ’ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ? ତେବେ ସାଂସଦଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଏଭଳି ଉତ୍ତର ଏବେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବିକୁ ନେଇ ଚାଲିଆସୁଥିବା ପ୍ରୟାସକୁ ଶକ୍ତ ଝଟକା ଲାଗିଛି।

ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସରକାର ୨ ସେପ୍ଟେମ୍ବର ୨୦୨୦ ରେ ରାଜ୍ୟ ଐତିହ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ କରି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ସେହିପରି ଗତ ବର୍ଷ ମେ ୨୫ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ।

ବିଜେଡି ସାଂସଦମାନେ ମଧ୍ୟ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇ ଓଡ଼ିଶାର ଗୌରବମୟ ଐତିହ୍ୟ ,ସଂସ୍କୃତି ଓ ଭାବାବେଗକୁ ମାନ୍ୟତା ଦେବାକୁ ଦାବି ଜଣାଇଥିଲେ। ତେବେ କେନ୍ଦ୍ର ସରକାରଙ୍କ ଏହି ବିବୃତ୍ତି ଆସିବା ପରେ ଏବେ ଜଗନ୍ନାଥ ସଂସ୍କୃତି ଓ ଉତ୍କଳୀୟ ସଂସ୍କୃତି ସହ ଜଡ଼ିତ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଆଶା ମଧ୍ୟ କମି ଯାଇଛି।

ଓଡ଼ିଶୀ ସଙ୍ଗୀତର ୨ ହଜାର ବର୍ଷ ପୁରୁଣା ଇତିହାସ

ଓଡ଼ିଶୀ ସଙ୍ଗୀତ ହେଉଛି ବହୁ ପ୍ରାଚୀନ , ପ୍ରାୟ ୨ ହଜାର ବର୍ଷ ପୂର୍ବର ପରମ୍ପରା ରହିଛି। ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ କଳିଙ୍ଗ ସମ୍ରାଟ ଖାରବେଳ ଓଡ଼ିଶୀ ସଙ୍ଗୀତର ପୃଷ୍ଠପୋଷକତାକୁ ପ୍ରୋତ୍ସାହନ ଦେଇଥିଲେ। ଓଡ଼ିଶୀ ସଙ୍ଗୀତ, ବାଦ୍ୟଯନ୍ତ୍ର, ନୃତ୍ୟର ଐତିହାସିକ ପ୍ରମାଣ ରହିଛି। ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଓ ଉଦୟଗିରିସ୍ଥିତ ରାଣୀଗୁମ୍ଫାରେ ଥିବା ରମଣୀମାନଙ୍କ ବିଭିନ୍ନ ମୁଦ୍ରା ଓ ଅଙ୍ଗଭଙ୍ଗୀର ପ୍ରତିମୂର୍ତ୍ତି ହେଉଛି ଏହାର ମୂକସାକ୍ଷୀ। ୧୯୬୪ ମସିହାରେ ଓଡ଼ିଶୀ ନୃତ୍ୟକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦେଇଥିବାବେଳେ ୨୦୧୪ରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ଭାବେ ସ୍ୱୀକୃତି ଦେଇଥିଲେ ।

ଓଡ଼ିଶୀ ସଙ୍ଗୀତର ନିଜସ୍ୱ ଲିପିକୃତ ବ୍ୟାକରଣ, ବାଦ୍ୟଯନ୍ତ୍ର

ଓଡ଼ିଶୀ ସଙ୍ଗୀତର ନିଜସ୍ୱ ଲିପିକୃତ ବ୍ୟାକରଣ ଏବଂ ସମୃଦ୍ଧ ଗାୟନ ଶୈଳୀ ରହିଛି। ଯେଉଁଭଳି ଭାବେ ହିନ୍ଦୁସ୍ତାନୀ ସଙ୍ଗୀତର ବାଦ୍ୟ ଉପକରଣ ତବଲା ହୋଇଥିବା ବେଳେ ମୃଦଙ୍ଗ ହେଉଛି କର୍ଣ୍ଣାଟକୀ ସଙ୍ଗୀତର ବାଦ୍ୟଯନ୍ତ୍ର। ସେହିପରି ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ବାଦ୍ୟ ହେଉଛି ମର୍ଦ୍ଦଳ।

ଜୟଦେବଙ୍କ ଗୀତଗୋବିନ୍ଦ, ହରି ନାୟକଙ୍କ ସଙ୍ଗୀତ ସାର, କୃଷ୍ଣଦାସ ବଡ଼ଜେନା ମହାପାତ୍ରଙ୍କ ଗୀତ ପ୍ରକାଶ, ନୀଳକଣ୍ଠଙ୍କ ସଙ୍ଗୀତାର୍ଣ୍ଣଭ ଚନ୍ଦ୍ରିକା, ହରିଚନ୍ଦନଙ୍କ ସଙ୍ଗୀତ ମୁକ୍ତାବାଲି, ରଘୁନାଥ ରଥଙ୍କ ନାଟ୍ୟ ମନୋରମା, ପୁରୁଷୋତ୍ତମ ମିଶ୍ରଙ୍କ ସଙ୍ଗୀତ ନାରାୟଣ ପରି ଓଡ଼ିଶୀ ସଙ୍ଗୀତର ଅନେକ ନିଜସ୍ୱ ଗୀତ ରହିଛି।

Related Posts