‘ରାଜ୍ୟରେ ଅଫିସର ରାଜ ଚାଲିଛି’: ଜୟନାରାୟଣ ମିଶ୍ର

ଭୁବନେଶ୍ୱର,୧୮/୩(ସତ୍ୟପାଠ ବ୍ୟୁରୋ): ଆଜି ବିଧାନସଭାରେ ମୁଖ୍ୟ ଶାସନ ସଚିବଙ୍କୁ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଭେଟି ଚେକ୍ ଦେବା ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମଧ୍ୟ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଏବେ ବିଚିତ୍ର ଶାସନ ଚାଲିଛି ।ଏଠି ଅଫିସରଙ୍କ ରାଜ୍ ଚାଲିଛି ।

ସେହିପରି ଡ୍ରାଇଭର ସଂଘ ସହ ଆଲୋଚନା ବେଳେ ପରିବହନ ମନ୍ତ୍ରୀ ବା ସଚିବ କେହି ବି ଉପସ୍ଥିତ ନଥିଲେ । ମୁଖ୍ୟ ଶାସନ ସଚବିଙ୍କ ସହ ମାତ୍ର ଜଣେ ବିଧାୟକ ଉପସ୍ଥିତ ଥିଲେ। ଏଥିରୁ ମନ୍ତ୍ରୀମାନଙ୍କ ସ୍ଥିତି ଜଣାପଡୁଛି। ଖାଲି ଏତିକି ନୁହେଁ କୋଇଡା ବିଡିଓଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇ ଜୟନାରାୟଣ କହିଛନ୍ତି ଯେ, ରାଜ୍ୟରେ ସରକାରୀ ଅଫିସର କାହାକୁ ମାନୁ ନାହାନ୍ତି। ଏଠି ଛୋଟ ରୁ ଛୋଟ ସରକାରୀ କର୍ମଚାରୀମାନେ ଜନ ପ୍ରତିନିଧି ମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି।

ଅଫିସର ରାଜ୍ ପ୍ରସଙ୍ଗକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ନେତା ଓ ବିଧାୟକ ଗୃହ ଭିତରକୁ ଯାଇଥିଲେ ଏବଂ ଏନେଇ ଆଲୋଚନା କରିବାକୁ ଦାବୀ କରିଥିଲେ ।ଏହି ପ୍ରସଙ୍ଗକୁ ନେଇ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ହୋଇଯିବା ପରେ ଉଭୟ ଦଳର ନେତା ଓ ବିଧାୟକ ବିଧାନସଭା ବାହାରକୁ ଆସି ସୋସିଆଲ ମିଡିଆରୁ ସଂଗୃହିତ ବିଭିନ୍ନ ଫଟୋକୁ ଗଣମାଧ୍ୟମ ଆଗରେ ଦେଖାଇଥିଲେ । ଫଟୋରେ ମନ୍ତ୍ରୀ ଓ ଅଫିସରଙ୍କ ଭିତରେ ଥିବା ସମ୍ପର୍କ ତଥା ଅଫିସରଙ୍କ ପ୍ରତି ମନ୍ତ୍ରୀମାନଙ୍କର ଆନୁଗତ୍ୟ ଥିବା ଅଭିଯୋଗ କରିଥିଲେ ଜୟନାରାୟଣ ମିଶ୍ର । ଆଗକୁ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ପ୍ରଶ୍ନ ଜାରୀ ରହିବ ବୋଲି ସେ କହିଛନ୍ତି ।

Related Posts