ଆମ ପାଖରେ ଲୋକଙ୍କ ଭଲପାଇବା ଅଛି, ଭାଇଭଉଣୀ ଦୁଇ ଜଣ ମିଶି ଆମ ବାପାଙ୍କ ସ୍ଵପ୍ନକୁ ଆଗକୁ ନେବୁ: ଦୀପାଳି ଦାସ

ଭୁବନେଶ୍ୱର,୧୮/୩(ସତ୍ୟପାଠ ବ୍ୟୁରୋ): ବଳ ତାକୁ ଗୋଟାଇବାକୁ ପଡ଼େ ଯାହା ପାଖରେ ନଥାଏ । ଆମକୁ ବଳ ଦରକାର ନାହିଁ। ଆମ ପାଖରେ ଲୋକଙ୍କ ଭଲପାଇବା ଅଛି। ଆମେ ଭାଇଭଉଣୀ ୨ ଜଣ ଦୁଇଜଣ ମିଶି ଆମ ବାପାଙ୍କ ସ୍ଵପ୍ନକୁ ଆଗକୁ ନେବୁ। ଉଭୟ ଉଭୟଙ୍କୁ ସପୋର୍ଟ କରିବୁ। ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଳକରେ ଏକ ଜନସଭାରେ ଯୋଗ ଦେବା ଅବସରରେ ଆଜି ଏଭଳି କହିଛନ୍ତି ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ।

ଏହାଛଡା ସେ କହିଛନ୍ତି ଯେ, ମୋ ବାପା କରିଯାଇଥିବା ଭଲ କାମ ପାଇଁ ଆଜି ତାଙ୍କୁ ସାରା ଓଡ଼ିଶା ଝୁରୁଛି। ସେଥିପାଇଁ ଆମେ ଭାଇ ଭଉଣୀ ଆଗକୁ ଆସିଛୁ। ମୋ ପାଇଁ ମୋ ବାପା ଏବେ ମୋ ଭାଇ। ଆମେ ଭାଇଭଉଣୀ ୨ ଜଣ ଦୁଇଜଣ ମିଶି ଆମ ବାପାଙ୍କ ସ୍ଵପ୍ନକୁ ଆଗକୁ ନେବୁ ବୋଲି ସେ କହିଛନ୍ତି।

ଅନ୍ୟପଟେ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ମଧ୍ୟ ସଭାସ୍ଥଳରେ ଦେଖିବାକୁ ମିଳିଥିଲା । ତାଙ୍କ ବାପା ଗଲାପରେ ସେ ଏବଂ ତାଙ୍କ ଭଉଣୀ ସବୁବେଳେ ଲୋକଙ୍କ ସହ ଅଛନ୍ତି ବୋଲି କହିଛନ୍ତି ନବ ଦାସଙ୍କ ପୁଅ । ଉପନିର୍ବାଚନକୁ ନେଇ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ଆମେ ସେହି ହିସାବରେ ଆଗକୁ ବଢ଼ିବୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡାକୁ ଏକ ମାସରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିନାହାନ୍ତି ନିର୍ବାଚନ କମିଶନ । ତେବେ ତାରିଖ ଘୋଷଣା ନହେବା ଆଗରୁ ବିଜେଡ଼ି ବିଭିନ୍ନ କାର୍ଯ୍ୟକ୍ରମ କରି ନିଜ ଦଳ ପାଇଁ ସମର୍ଥନ ଜୁଟାଉଥିବା ଦେଖିବାକୁ ମିଳିଛି । ଦୀର୍ଘଦିନ ରାଜନୀତି ପରେ ନବ ଦାସ ଯେଉଁ ପରିଚୟ ସୃଷ୍ଟି କରିଥିଲେ ତାକୁ ଆଗକୁ ବଢ଼ାଇବା ପାଇଁ ତାଙ୍କ ଝିଅ ଦିପାଳି ଦାସ ଗ୍ରାମାଂଚଳରେ ବୁଲି ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଲଇକେରା ବ୍ଲକର ଭିମଜୋର, ସୁଲେହି ଓ ସାରଙ୍ଗଲୋଇ ଠାରେ ଜନସମାବେଶରେ ଯୋଗଦେବା ସହ ଲକ୍ଷଘର ସମାଜର ଏକ କାର୍ଯ୍ୟକ୍ରମରେ ସେ ଆଜି ଯୋଗଦେଇଥିଲେ ।

Related Posts