ବେଙ୍ଗାଲୁରୁ: ଆଜିଠୁ ବେଙ୍ଗାଲୁରରେ ବନ୍ଦ ହୋଇଛି ଚାଲିବନି ଓଲା, ଉବେର କିମ୍ବା ରାପିଡୋ ଅଟୋ । ଆପ୍ ଆଧାରିତ ସେବା ଯୋଗାଉଥିବା ଏହି କମ୍ପାନୀ ଗୁଡିକର ଅନଲାଇନରେ ଅଟୋ ବୁକିଂକୁ କର୍ଣ୍ଣାଟକ ସରକାର ବେଆଇନ ଘୋଷଣା କରିଛନ୍ତି ।

ଗତକାଲି(ମଙ୍ଗଳବାର) କର୍ଣ୍ଣାଟକ ପରିବହନ ଓ ସଡକ ସୁରକ୍ଷା ବିଭାଗର ମୋବିଲିଟି କମ୍ପାନୀ ପ୍ରତିନିଧିମାନଙ୍କ ସହ ବୈଠକ ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଓଲା, ଉବେର ଯାତ୍ରୀଙ୍କ ଠାରୁ ଅଧିକ ଭଡା ଦାବି କରୁଥିବାର ମାତ୍ରାଧିକ ଅଭିଯୋଗ ଆସିବା ପରିପ୍ରେକ୍ଷୀରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

କର୍ଣ୍ଣାଟକ ପରିବହନ କମିଶନର ଟିଏଚଏମ୍ କୁମାର କହିଛନ୍ତି, ”ସରକାରଙ୍କ ଆଗାମୀ ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ ରାପିଡୋ, ଓଲା କିମ୍ବା ଉବେର ଅଟୋ ସେବା ଯୋଗାଇ ପାରିବେନାହିଁ । ରାଜ୍ୟର ଅନ ଡିମାଣ୍ଡ ପରିବହନ ଟେକ୍ନୋଲୋଜି ଏଗ୍ରିଗେଟର ନିୟମ, 2016 ଟ୍ୟାକ୍ସି ଏଗ୍ରିଗେଟର କମ୍ପାନୀଗୁଡିକୁ ଅଟୋରିସ୍କା ସେବା ଯୋଗାଇବାକୁ ଅନୁମତି ଦିଏ ନାହିଁ । ଯଦି ଏହି ଟ୍ୟାକ୍ସି ଏଗ୍ରିଗେଟର କମ୍ପାନୀଗୁଡିକ ନିୟମ ଉଲ୍ଳଙ୍ଘନ କରନ୍ତି, ତାହାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଅଟୋ ଗୁଡିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇ ସିଧାସଳଖ ଟ୍ୟାକ୍ସି ଏଗ୍ରିଗେଟର(Ola-Uber)ଙ୍କ ଠାରୁ ପ୍ରତି ଯାନ ପିଛା ୫ ହଜାର ଫାଇନ ଆଦାୟ କରାଯିବ ।ବେଙ୍ଗାଲୁରୁ ସହରରେ ଓଲା, ଉବେର କିମ୍ବା ରାପିଡୋ ଅଟୋ ଚଳାଚଳ ବନ୍ଦ ପାଇଁ ରାଜ୍ୟ ପରିବହନ ବିଭାଗ ଗତ ୬ ତାରିଖରେ ଏକ ନୋଟିସ୍ ଜାରି କରିଥିଲା । କମ୍ପାନୀ ଗୁଡିକ ଯାତ୍ରୀଙ୍କ ଠାରୁ ଅଧିକ ଭଡା ଆଦାୟ କରୁଥିବା ଅଭିଯୋଗରେ ପରିବହନ ବିଭାଗ ଏହି ନୋଟିସ୍ କରିଥିଲା ।