କେରଳ ନରବଳି ମାମଲାରେ ଚାଞ୍ଚଲ୍ୟକର ଖୁଲସା; ହତ୍ୟାପରେ ମୃତ ମହିଳାଙ୍କ ମାଂସକୁ ରାନ୍ଧି ଖାଇଥିଲେ ଦମ୍ପତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେରଳ ନରବଳି ମାମଲାରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଦୁଇ ମହିଳାଙ୍କୁ ବଳି ଦେବା ପରେ ସେମାନଙ୍କ ମାଂସକୁ ରାନ୍ଧି ଖାଇଥିଲେ ଅଭିଯୁକ୍ତ ଦମ୍ପତି । ଧନ ପ୍ରାପ୍ତି ପାଇଁ ଅନ୍ଧବିଶ୍ୱାସର ଶିକାର ହୋଇ ଦମ୍ପତି ପ୍ରଥମେ ଦୁଇ ମହିଳାଙ୍କୁ ବଳି ଦେଇଥିଲେ ଓ ପରେ ମୃତ ଦୁଇ ମହିଳାଙ୍କର ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ରୋଷେଇ କରି ଖାଇଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି । ମହମ୍ମଦ ଶାଫି ନାମକ ଜଣେ ବ୍ୟକ୍ତିଙ୍କ କଥାରେ ଆସି ଦମ୍ପତି ଏଭଳି ବର୍ବର କାଣ୍ଡ ଭିଆଇଛନ୍ତି । ନରବଳି ପରେ ଦମ୍ପତିଙ୍କ ଏଭଳି ଲୋମଟାଙ୍କୁରା କାଣ୍ଡ ଏବେ ଚାରିଆଡେ ଆଲୋଡନ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, କେରଳ ଏର୍ଣ୍ଣାକୁଲମ ଜିଲ୍ଲାର ଏହି ଦମ୍ପତି ଧନ ପ୍ରାପ୍ତି ପାଇଁ ଦୁଇ ମହିଳାଙ୍କୁ ବଳି ଦେଇଥିଲେ । ଦୁଇ ମହିଳାଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୁଣ୍ଡ କାଟି ମୁଣ୍ଡ ବିହୀନ ମୃତଦେହକୁ ପୋତି ଦେଇଥିଲେ । ଗତ କିଛି ମାସ ତଳେ ଦୁଇ ମହିଳା ଏର୍ଣ୍ଣାକୁଲମ ଜିଲ୍ଲାର ପୃଥକପୃଥକ ସ୍ଥାନରୁ ନିଖୋଜ ଥିବା ନେଇ ଥାନାରେ ଏତଲା ଦାଖଲ ହୋଇଥିଲା । ତେବେ ପୋଲିସ ତଦନ୍ତରୁ ଉଭୟଙ୍କୁ ବଳି ଦେବା ଉଦ୍ଦେଶ୍ୟରେ ହତ୍ୟା କରାଯାଇ ମୁଣ୍ଡବହୀନ ମୃତଦେହକୁ ଦମ୍ପତି ପୋତି ଦେଇଥିବା ଜଣାପଡିଥିଲା ।

ମହମ୍ମଦ ଶାଫି ନାମକ ବ୍ୟକ୍ତି ତାଙ୍କୁ ଘରର ସମୃଦ୍ଧି ପାଇଁ ବଳି ଦେବାକୁ କହିଥିଲା । ଏହାସହିତ ମୃତକଙ୍କ ମାଂସ ଖାଇଲେ ସେ ଦୀର୍ଘାୟୁ ଏବଂ ସ୍ବାସ୍ଥ୍ୟବାନ ରହିବେ ବୋଲି ଜଣାଇଥିଲା । ଶାଫି କଥା ଅନୁସାରେ ଦମ୍ପତି ଦୁଇ ମହିଳାଙ୍କୁ ହତ୍ୟା କରିବା ପରେ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ରୋଷେଇ କରି ଖାଇଥିଲେ । ଏହି ଜଘନ୍ୟ ମାମଲାରେ ପୋଲିସ ଦମ୍ପତିଙ୍କ ସମେତ ମହମ୍ମଦ ଶାଫିକୁ ଗିରଫ କରିଛି ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ବଳି ଉଦ୍ଦେଶ୍ୟରେ ନିର୍ମମ ହତ୍ୟାର ଶିକାର ହୋଇଥିବା ଦୁଇ ମହିଳା ହେଲେ ରୋସେଲିନ ଓ ପଦ୍ମା । ଉଭୟ ଏର୍ଣ୍ଣାକୁଲମ ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳର ବାସିନ୍ଦା । ଉଭୟଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ । ରୋସେଲିନ ଜୁନ ମାସରୁ ନିଖୋଜ ଥିବା ବେଳେ ପଦ୍ମା ସପ୍ଟେମ୍ବର ମାସରୁ ନିଖୋଜ ରହିଥିଲେ । ପରେ ଉଭୟ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଭିନ୍ନ ଭିନ୍ନ ନିଖୋଜ ଅଭିଯୋଗ କରାଯାଇଥିଲା । ତେବେ ପୋଲିସ ବିଭିନ୍ନ ଦିଗରୁ ସେମାନଙ୍କୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଥିବା ବେଳେ ସେମାନଙ୍କୁ ବଳି ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି ।

ଏହି ଜଘନ୍ୟ ହତ୍ୟାକାଣ୍ଡର ୩ ଅଭିଯୁକ୍ତଙ୍କୁ ବୁଧବାର ଏର୍ଣ୍ଣାକୁଲମ ଜିଲ୍ଲା ଜଜ୍‌ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ୩ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହଜାତକୁ ପଠାଇ ଦେଇଛନ୍ତି । ଭାଗୱଲ ସିଂହ ଓ ତାର ପତ୍ନୀ ଲୈଲା ମହମ୍ମଦ ଶାଫି କଥାରେ ପଡ଼ି ସମ୍ପତ୍ତି ବୃଦ୍ଧି ଏହି ନାରକୀୟ କାଣ୍ଡ ଘଟାଇଛନ୍ତି । ଗତ ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଅକ୍ଟୋବର ୨୬ ତାରିଖ ଯାଏଁ ଏର୍ଣ୍ଣାକୁଲମ କୋର୍ଟ ଅଭିଯୁ୍କ୍ତଙ୍କୁ ବିଚାର ବିଭାଗୀୟ ହଜାତକୁ ପଠାଇ ଦେଇଛନ୍ତି ।

Related Posts