(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଟୋକିଓ ଅଲିମ୍ପିକରେ ସିଲ୍ଭର ମେଡାଲ ଜିତି ଇତିହାସ ରଚିଥିବା ମୀରାବାଇ ଚାନୁ ସୋମବାର ଦିନ ଭାରତ ଫେରିଛନ୍ତି। ଏହା ପରେ ତାଙ୍କୁ ଉପହାର ଦେଇଛନ୍ତି ମଣିପୁର ସରକାର। ଚାନୁଙ୍କୁ ରାଜ୍ୟ ସରକାର ସ୍ପୋର୍ଟ କୋଟାରେ ଏଡିସନାଲ ଏଏସ୍ପି ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ମଣିପୁର ମୁଖ୍ୟମନ୍ତ୍ରୀ ମୀରାବାଇଙ୍କୁ କୋଟିଏ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ।
ଏହା ପୂର୍ବରୁ ଅଲିମ୍ପିକ ଜିତିବା ପରେ ମୀରାବାଇଙ୍କୁ ଭିଡିଓ କଲ୍ କରି ବଧେଇ ଜଣାଇଥିଲେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ। ଭିଡିଓ କଲ୍ କରି ଶ୍ରୀ ସିଂହ କହିଥିଲେ, “ମୁଁ ଆପଣଙ୍କ ପାଇଁ ଏକ ପୋଷ୍ଟ ରିଜର୍ଭ ରଖିଛି। ଏବେ କିନ୍ତୁ ଏହାକୁ ସସ୍ପେନ୍ସରେ ରଖୁଛି।” ମୁଖ୍ୟମନ୍ତ୍ରୀଙ୍କ ସସ୍ପେନ୍ସ ଆଜି ଖୋଲିଛି। ବିରେନ ସିଂ କହିଛନ୍ତି ଯେ ସେ ଚାନୁଙ୍କୁ ରେଳବାଇରେ ବର୍ତ୍ତମାନର ଚାକିରି ଛାଡି ମଣିପୁର ପୋଲିସ ବିଭାଗରେ ଯୋଗଦେବାକୁ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ମୁଁ ଇସ୍ତଫା ଦେବାକୁ ମୀରାବାଇଙ୍କୁ ଅନୁରୋଧ କରିଛି। ସେ ଆଗାମୀ ଅଲିମ୍ପିକ୍ସ ପାଇଁ ନିଜକୁ ପ୍ରସ୍ତୁତ କରିବା ଉଚିତ କାରଣ ସମଗ୍ର ଦେଶ ସ୍ୱର୍ଣ୍ଣ ପଦକ ପାଇବାକୁ ଚାହିଁ ରହିଛନ୍ତି ବୋଲି ସେ କହିଛନ୍ତି।
ସୂଚନା ଥାଉକି, ୨୪ ଜୁଲାଇରେ ଭାରତୀୟ ମହିଳା ଭାରାଉତ୍ତୋଳନ ଖେଳାଳି ମୀରାବାଈ ଚାନୁ ଟୋକିଓ ଅଲିମ୍ପିକ୍ରେ ରୌପ୍ୟ ପଦକ ଜିତିଥିଲେ। ମହିଳା ୪୯କିଲୋ ବର୍ଗରେ ସେ ପଦକ ଜିତିଛନ୍ତି।। ଏହାପୂର୍ବରୁ ସେ କ୍ଲିନ୍ ଆଣ୍ଡ ଜର୍କରେ ୧୧୯ କିଲୋ ଭାର ଉଠାଇ ସେ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ପ୍ରଥମ ଭାରତୀୟ ଖେଳାଳି ଭାବେ ପଦକ ଜିତିଛନ୍ତି ମୀରାବାଈ ଚାନୁ। ଅଲିମ୍ପିକ୍ରେ ରୌପ୍ୟ ଜିତିବା ପରେ ଚାନୁଙ୍କୁ କୋଟିଏ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ମଣିପୁର ମୁଖ୍ୟମନ୍ତ୍ରୀ ।
ମୀରାବାଈ ଚାନୁ ସୋମବାର ଅପରାହ୍ଣରେ ସ୍ୱଦେଶ ଫେରିଛନ୍ତି। ଚାନୁ ଦେଶର ପ୍ରଥମ ଭାରୋତ୍ତୋଳକ, ଯିଏ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି। ଏହା ପୂର୍ବରୁ ୨୦୦୦ ମସିହାରେ କର୍ଣ୍ଣମ ମାଲେଶ୍ୱରୀ ବ୍ରୋଞ୍ଜ ପଦକ ଜିତିଥିଲେ। ସ୍ୱଦେଶ ଫେରିବା ପରେ ମୀରାବାଈ କହିଥିଲେ, ମୋ ପାଇଁ ଏହା ବହୁତ ଚ୍ୟାଲେଞ୍ଜିଂ ଥିଲା।