ଅଲମ୍ପିକରେ ପଦକ ଜିତିବା ପରେ ଲିଫ୍ଟ ଦେଉଥିବା ଟ୍ରକ ଡ୍ରାଇଭରଙ୍କୁ ଟ୍ରିଟ ଦେଲେ ମୀରାବାଇ ଚାନୁ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ଅଲମ୍ପିକ ଗେମ୍ସରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିଲେ ରୌପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁ। ତେବେ ଚାନୁଙ୍କୁ ଏହି ସଫଳତା ମିଳିବା ପଛରେ ନିଜର ପରିଶ୍ରମ ଏବଂ ଅଭ୍ୟାସ ସଙ୍ଗେ ସଙ୍ଗେ ଆଉ କିଛି ଲୋକଙ୍କ ସହାୟତା ରହିଛି। ଏବଂ ଟୋକିଓ ଅଲମ୍ପିକରେ ସଫଳତା ହାସଲ କରିବା ପରେ ତାଙ୍କୁ ସାହାଯ୍ୟ କରିଥିବା ସେହି ପରଦା ପଛର ଲୋକଙ୍କୁ ସେ ମନେ ପକାଇ ସମ୍ମାନିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅଭ୍ୟାସ ସମୟରେ ତାଙ୍କୁ ଲିଫ୍ଟ ଦେଉଥିବା ସ୍ଥାନୀୟ ଟ୍ରକ ଡ୍ରାଇଭରଙ୍କୁ ଟ୍ରିଟ୍ ଦେଇଛନ୍ତି ମୀରାବାଇ ଚାନୁ ।

ଚାନୁଙ୍କ ଗାଁ ହେଉଛି ନଙ୍ଗପୋକ୍ କାକଚିଙ୍ଗ୍ । ଗାଁରୁ ପ୍ରାୟ ୨୫ କିମି ଦୂରରେ ରହିଛି ତାଙ୍କର ସ୍ପୋର୍ଟସ ଏକାଡେମୀ । ପ୍ରତ୍ୟେକ ଦିନ ମୀରାବାଇଙ୍କୁ ଟ୍ରେନରେ ଯାତ୍ରା କରିବାକୁ ପଡ଼ୁଥିଲା । ତେବେ ଅର୍ଥ ଅଭାବରୁ ସେ ସ୍ଥାନୀୟ ନଦୀରୁ ବାଲି ଉଠାଇ ଇମ୍ଫାଲ ଷ୍ଟେସନକୁ ଯାଉଥିବା ଟ୍ରକକୁ ଲିଫ୍ଟ ମାଗି ସ୍ପୋର୍ଟସ ଏକାଡେମୀ ପହଞ୍ଚୁ ଥିଲେ । ଏହିଭଳି ପ୍ରତିଦିନ ଟ୍ରକ୍ ଡ୍ରାଇଭରଙ୍କ ସହାୟତାରେ ସେ ଏକାଡେମୀ ଯାଆନ୍ତି । ଏବେ ସେ ଯେତେବେଳେ ବିଶ୍ବର ସବୁଠାରୁ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ସେ ଏହି ଟ୍ରକ ଡ୍ରାଇଭରଙ୍କୁ ସମ୍ମାନିତ କରିଥିଲେ ।

ଏହି ଅବସରରେ ସେ ଟ୍ରକ ଡ୍ରାଇଭରଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଗୁରୁବାର ଦିନ, ସେ ପ୍ରାୟ ୧୫୦ ଟ୍ରକ ଡ୍ରାଇଭର ଏବଂ ହେଲପରଙ୍କୁ ଗୋଟିଏ ସାର୍ଟ, ମଣିପୁରୀ ସ୍କାର୍ଫ ଏବଂ ଭୋଜନର ଆୟୋଜନ କରିଥିଲେ। ଏହି ଅବସରରେ ମୀରାବାଇ ଚାନୁ କହିଛନ୍ତି ଯେ, “ଆପଣମାନଙ୍କ ଯୋଗୁଁ ମୁଁ ଜଣେ ଭାରୋତ୍ତଳକ ହୋଇ ପାରିଲି । ସେଥିପାଇଁ ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।” ୨୬ ବର୍ଷୀୟ ଭାରୋତ୍ତୋଳକ ମୀରାବାଇ ଚାନୁ ଟୋକିଓ ଅଲମ୍ପିକ ଗେମ୍ସରେ ୪୯ କେଜି ବର୍ଗରେ ମୋଟ ୨୦୨ କେଜି ଭାରୋତ୍ତୋଳନ କରି ରୌପ୍ୟ ପଦକ ଜିତିଛନ୍ତି । ଶେଷଥର ପାଇଁ ୨୦୦୦ ମସିହା ୪୯ କେଜି ବର୍ଗରେ କର୍ଣ୍ଣମ ମଲ୍ଲେଶ୍ବରୀ ଅଲମ୍ପିକ୍ ଗେମ୍ସରେ କାଂସ୍ୟ ପଦକ ହାସଲ କରିବାରେ ସକ୍ଷମ ହୋଇଥିଲେ ।

Related Posts