ଚଳନ୍ତା ଟ୍ରେନ୍‌ରେ ଚଢ଼ୁଥିବ ଅମାନିଆ ହେବେ ସାବାଡ: ଧରା ପଡିଲେ ଥାନାରେ କଟିବ ରାତି

କଟକ: ଅମାନିଆ ରେଳ ଯାତ୍ରୀଙ୍କ ପାଇଁ କଠୋର ହେଲା ନିୟମ । ଚଳନ୍ତା ଟ୍ରେନ୍‌ରେ ଚଢ଼ିଲେ ଆଉ ବରଦାସ୍ତ କରାଯିବ ନାହିଁ। ସେମାନଙ୍କୁ ଗୋଟିଏ ଦିନ ଥାନାରେ ଅଟକ ରଖାଯିବ । ଏନେଇ ଆରପିଏଫ୍ ପୁଲିସ ନିଷ୍ପତ୍ତି ନେଇଛି। ରବିବାର ସକାଳୁ ଆରପିଏଫ୍ ପୁଲିସ ଏହି ଡ୍ରାଇଭ୍ ଆରମ୍ଭ କରିବାକୁ ଯାଉଛି। ଶନିବାର ଅପରାହ୍ନରେ ଜଣେ ଯାତ୍ରୀ ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଖସିପଡ଼ିବାରୁ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲେ। ଏହା ପରେ ଆରପିଏଫ୍ ପୁଲିସ ଏଭଳି ନିଷ୍ପତ୍ତି ନେଇଛି।

ସୂଚନା ଅନୁଯାୟୀ, କଟକ ରେଳ ଷ୍ଟେସନରେ ଶନିବାର ଅପରାହ୍ନ ପ୍ରାୟ ୪ଟା ୫୫ରେ ଏକ ନମ୍ବର ପ୍ଲାଟଫର୍ମରେ ପୁରୀ-ପାଟନା ଏକ୍ସପ୍ରେସ୍ ପହଞ୍ଚି ଥିଲା। ୫ଟା ବେଳେ ଟ୍ରେନ୍ ଛାଡ଼ୁଥିବା ସମୟରେ କୋଚ ନମ୍ବର ଏବି-୧ରେ ଜଣେ ଯାତ୍ରୀ ଅରୂପ କୁଣ୍ଡୁ ଚଢ଼ୁଥିବା ସମୟରେ ଗୋଡ଼ ଖସିଯିବାରୁ ପ୍ଲାଟଫର୍ମ ଓ ଟ୍ରେନ୍ ମଝିରେ ଥିବା ଫାଙ୍କରେ ଖସି ପଡ଼ିଥିଲେ।

ପ୍ଲାଟଫର୍ମରେ ଥିବା ଆରପିଏଫ୍ କର୍ମଚାରୀ ପି.କେ. ଦାସ ଏବଂ ଏସ.ଆର ସାମନ୍ତ ଦେବଦୂତ ସାଜି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପ୍ଲାଟଫର୍ମ ଉପରକୁ ଘୋଷାରି ଆଣିଥିଲେ। ଅଳ୍ପକେ ଅରୂପ ବଞ୍ଚି ଯାଇଥିଲେ। ତାଙ୍କୁ ଆରପିଏଫ୍ ପୁଲିସ ଉଦ୍ଧାର କରିବା ପରେ ପ୍ରାଥମିକ ଚିକିତ୍ସା କରିଥିଲା। ଚଳିତ ବର୍ଷ କଟକ ରେଳ ଷ୍ଟେସନରେ ସମାନ ଧରଣର ଘଟଣା ୩ରୁ ଅଧିକ ଘଟିସାରିଥିବାରୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଆରପିଏଫ୍ ପକ୍ଷରୁ ରବିବାର ଏ ନେଇ ଏକ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ ହେବାକୁ ଯାଉଛି। ସାଦା ପୋଷାକରେ ୪ ପୁଲିସ କର୍ମଚାରୀ ପ୍ଲାଟଫର୍ମରେ ମୁତୟନ ହେବେ। ଯେଉଁମାନେ ଚଳନ୍ତା ଟ୍ରେନ୍‌ରେ ଚଢ଼ିବେ ସେମାନଙ୍କୁ ଥାନାକୁ ଧରି ଆଣି ଅଟକ ରଖାଯିବ। ସେମାନଙ୍କୁ ଗୋଟିଏ ଦିନ ଥାନାରେ ଅଟକ ରଖିବାକୁ ଆରପିଏଫ୍ ପୁଲିସ ଶନିବାର ସନ୍ଧ୍ୟାରେ ଏକ ବୈଠକରେ ନିଷ୍ପତ୍ତି ନେଇଛି।

Related Posts