ଉଦୟଗିରି ଥାନା ମହିଳା ସବ୍ ଇନ୍ସପେକ୍ଟର ସ୍ୱାଗତିକାଙ୍କ ମୃତ୍ୟୁ ମାମଲା: ଆଇଆଇସିଙ୍କ ନାଁରେ ଏତଲା

ଜି.ଉଦୟଗିରି : କନ୍ଧମାଳ ଜି. ଉଦୟଗିରି ଥାନାର ମହିଳା ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ମାମଲାରେ ଆଇଆଇସି ରେବତୀ ଶବରଙ୍କ ନାଁରେ ଏତଲା । ମୃତ ସ୍ୱାଗତିକା ବେହେରାଙ୍କ ପରିବାର ପକ୍ଷରୁ ଏତଲା ରୁଜୁ ହୋଇଛି ।

ସ୍ୱାଗତିକାଙ୍କ ମା’ ଓ ଭାଇ ଶନିବାର ରାତିରେ ଜି. ଉଦୟଗିରି ଏସଡିପିଓଙ୍କୁ ଭେଟିଥିଲେ। ଆଇଆଇସି ରେବତୀ ଶବର ସେମାନଙ୍କ ଝିଅକୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ କରିବା ସହିତ ଏତଲା ଦେଇଥିଲେ। ସ୍ୱାଗତିକାଙ୍କ ପରିବାର ଲୋକେ କହିଛନ୍ତି ଯେ ଆଇଆଇସି ତାଙ୍କୁ ମାରି ଝୁଲାଇ ଦେଇଛନ୍ତି। ନହେଲେ ତାଙ୍କ ନିର୍ଯାତନା ସହି ନପାରି ସ୍ବାଗତିକା ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ସ୍ୱାଗତିକା ୨୦୧୯ରୁ ଜି. ଉଦୟଗିରି ଥାନାରେ ଏସ୍ ଆଇ ଭାବେ କାର୍ଯ୍ୟରତ ଥିଲେ। ସ୍ବାଗତିକା ଜି. ଉଦୟଗିରି ଥାନାରେ କାର୍ଯ୍ୟରେ ଯୋଗଦେବା ଦିନ ଠାରୁ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିଲା। ଆଇଆଇସି ରେବତୀ ଶବର ସବୁବେଳେ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲେ। ସ୍ୱାଗତିକା ଯେତେବେଳେ ବି ଘରକୁ ଫୋନ୍ କରୁଥିଲେ ସବୁବେଳେ ଆଇଆଇସି ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା କହୁଥିଲେ।

ଆଇଆଇସିଙ୍କ ନିର୍ଯାତନା ସହି ହେଉନଥିବାରୁ ସେ ଚାକିରି ଛାଡ଼ିଦେବେ ବୋଲି ମଧ୍ୟ କହୁଥିଲେ। ଘଟଣାର ତଦନ୍ତ କରି ଆଇଆଇସି ରେବତୀ ଶବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାଗତିକାଙ୍କ ପରିବାର ଲୋକେ ଦାବି କରିଛନ୍ତି। ଜି. ଉଦୟଗିରି ଏସ୍ ଡିପିଓ ଡି. ତିରୁପତି ରାଓ କହିଛନ୍ତି ଯେ ଆଇଆଇସିଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତ କରାଯିବ। ଅନ୍ୟପକ୍ଷରେ ଏହି ଘଟଣା ସଂପର୍କରେ ଆଇଆଇସି ରେବତୀ ଶବରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Related Posts