ବାହୁଡ଼ିବେ ଜଗା କାଳିଆ: ଆସନ୍ତା ୬ରେ ଦିଲ୍ଲୀ ଏମ୍ସରୁ ସ୍ଥାନାନ୍ତର ହେବ ଏସସିବି ମେଡିକାଲ

ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା କନ୍ଧମାଳ ମିଲୁପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ଖୁବ ଶୀଘ୍ର ଓଡ଼ିଶା ଫେରିବାକୁ ଯାଉଛନ୍ତି । ଆସନ୍ତା ସେପ୍ଟେମ୍ବର ୬ ରେ ସେମାନେ ଦିଲ୍ଲୀରୁ ଫେରିବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି ।

ଜଗା ଓ କାଳିଆ ରାଜଧାନୀ ଏକ୍ସପ୍ରେସରେ ୬ ତାରିଖରେ ସେମାନେ ଦିଲ୍ଲୀରୁ ବାହାରିବେ । ସେମାନଙ୍କ ସହିତ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଏବଂ ଓଡ଼ିଶା ଭବନ କର୍ମଚାରୀ ସାଙ୍ଗରେ ଆସିବେ । ସମସ୍ତେ ୭ ତାରିଖରେ ଓଡ଼ିଶାରେ ପହଁଚିବେ । ଏହା ପରେ ସେମାନଙ୍କୁ କଟକ ଏସ୍‌ସିବି ମେଡ଼ିକାଲକୁ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ଏସ୍‌ସିବିରେ ଜଗା କାଳିଆଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୁଇ ଶିଶୁଙ୍କୁ ଏସ୍‌ସିବିର ସର୍ଜରି ବିଭାଗର ୧ ନମ୍ବର କ୍ୟାବିନ୍‌ରେ ରଖାଯିବ । ଦୁଇ ଭାଇଙ୍କ ଚିକିତ୍ସା ପାଇଁ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଛି । ଉକ୍ତ ଡାକ୍ତରୀ ଟିମ୍‌ ଦୁଇ ଜଣଙ୍କ ଉପରେ ଚବିଶ ଘଣ୍ଟିଆ ନଜର ରଖିବେ ।  ଆବଶ୍ୟକ ପଡ଼ିଲେ ଜଣେ ଡାଏଟିସିଆନ୍‌ ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଶେଷଜ୍ଞଙ୍କୁ ମଧ୍ୟ ଟିମ୍‌ରେ ରଖାଯିବ ବୋଲି ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୧୭ ଜୁଲାଇ ୧୪ରେ କନ୍ଧମାଳ ଜିଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ୨୦୧୭ ଅକ୍ଟୋବର ୨୫ ଓ ୨୬ ଦୁଇ ଦିନ ଧରି ଅସ୍ତ୍ରୋପଚାର କରି ସଫଳତାର ସହ ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା । ସେଠାରେ ସୁସ୍ଥ ହେବା ପରେ ସେମାନେ ଓଡ଼ିଶା ଆସିପାରିବେ ବୋଲି ଏମ୍ସ କର୍ତ୍ତୃପକ୍ଷ କହିଥିଲେ । ତେବେ ଦୁଇ ଶିଶୁ କେଉଁଠି ରହିବେ ସେ ନେଇ ବିଚାର କରାଯାଇଥିଲା । ଭୁବନେଶ୍ୱର ଏମ୍ସରେ ରଖିବା ପାଇଁ ମନା କରିଦେବା ପରେ ଏସ୍‌ସିବିରେ ରଖିବାକୁ ସ୍ଥିର ହୋଇଥିଲା

Related Posts