ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ରାଜ୍ୟରେ ବିଜେପି ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ପୂର୍ତ୍ତ ବିଭାଗ ଭେଟିଦେବ ୧୩୮୨୩କୋଟିର ପ୍ରକଳ୍ପ। ଆଜି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି।ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ନିକଟରେ ୧୭୨୧କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୪୯ଟି ପ୍ରକଳ୍ପ ଶେଷ ହୋଇଛି।
ଏହାକୁ ଖୁବ୍ ଶୀଘ୍ର ଲୋକାର୍ପଣ କରାଯିବ। ଏହାସହ ୧୨୧୦୨କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୪୭ଟି ପ୍ରକଳ୍ପର ଶିଳାନ୍ୟାସ ହେବ। ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ଏହି ଅବସରରେ ଏହି ସବୁ ପ୍ରକଳ୍ପ ଭେଟି ଦିଆଯିବ। ସେହିପରି ଶ୍ରୀ ହରିଚନ୍ଦନ ଆଜି ଲୋକସେବା ଭବନରେ ୫୦କୋଟିରୁ ଅଧିକ ବ୍ୟୟ ଅଟକଳ ଥିବା ୪୮ଟି ଜାତୀୟ ରାଜପଥର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ।
ଏଥିରେ ୩୦ଟି ଚାଲୁ ରହିଥିବା ପ୍ରକଳ୍ପ, ୧୪ଟି କାର୍ଯ୍ୟାଦେଶ ହେବାକୁ ଥିବା ପ୍ରକଳ୍ପ ଏବଂ ୪ଟି ଟେଣ୍ଡର ପ୍ରକ୍ରିୟାରେ ଥିବା ପ୍ରକଳ୍ପ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା।ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭଞ୍ଜନଗରରୁ ଆସ୍କା ରୋଡ୍, ରିଆମାଳ ବାଇପାସ୍ ରୋଡ୍, ବ୍ରହ୍ମପୁର ବାଇପାସ୍, ଖରିଆର ରୋଡ୍ ଆରଓବି, ପୁରୀ-ମାଟିଆପଡ଼ା ଆର୍ଓବି, ନୟାଗଡ଼ ବାଇପାସ୍, କେସିଙ୍ଗା ଆର୍ଓବି, ମାଲକାନଗିରି-ମୋଟୁ ରାସ୍ତାରେ ଥିବା ହାଇଲେବୁଲ୍ ବ୍ରିଜ, କନ୍ଦରପୁର-ବାଲିକୁଦା ରାସ୍ତା, କୋଟପାଡ଼ ବାଇପାସ ରାସ୍ତା, କୁଆଖିଆ-ମଙ୍ଗଳପୁର ରାସ୍ତା, ଟିଟିଲାଗଡ଼ ବାଇପାସ୍ ରାସ୍ତା, ବୈତରଣୀ ନଦୀରେ ହାଇଲେବୁଲ୍ ବ୍ରିଜ, ନବରଙ୍ଗପୁର ବାଇପାସ ଆଦି ପ୍ରକଳ୍ପ ରହିଥିଲା।
