ଦେଢ଼ ଶହ କୋଟି ର ରୂପା ଇଟା, ୯ ବର୍ଷ ରେ ୬ ଏସ ପି ୧୧ ଆଇଆଇସି ଗଲେ କିନ୍ତୁ ଚାର୍ଜସିଟ୍ ଦାଖଲ ହେଲାନି

ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ପ୍ରାଚୀନ ଏମାର ମଠରୁ ୨୦୧୧ ମସିହାରେ ଚାରୋଟି କାଠ ବାକ୍ସରୁ ୧୮ ଟନ୍ ରୁ ଅଧିକ ଓଜନ ବିଶିଷ୍ଟ ୫୨୨ ଖଣ୍ଡ ରୂପା  ଇଟା ଉଦ୍ଧାର କରାଯାଇଥିଲା । ଏହି ରୂପା ଇଟା ପ୍ରସଙ୍ଗ ଦୀର୍ଘ ୧୧ ବର୍ଷ ପରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏହାର ମୂଲ୍ୟ ପାଖା ପାଖି ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଛି । ତେବେ ଦୀର୍ଘ ୯ ବର୍ଷ ବିତିଯାଇଥିଲେ ବି ମାମଲା ଆଗକୁ ନ ବଢିବାକୁ ନେଇ ଚାରିଆଡ଼ୁ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହାକୁ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ଏକ ଦାବପତ୍ର ପ୍ରଦାନ କରାଯାଇଛି । ସେନା ପକ୍ଷରୁ କୁହାଯାଇଛି ଯେ, ଯଦି ଶ୍ରୀ ଜଗନ୍ନାଥ ମଠ ସହିତ ଜଡ଼ିତ ମାମଲାକୁ ପୁଲିସ ଏମିତି ନ୍ୟାୟ ଦେଉଛି, ତେବେ ରାଜ୍ୟରେ ସାଧାରଣ ଜନତା ପୁଲିସଠାରୁ କି ନ୍ୟାୟ ଆଶା କରିବେ । ଆହୁରି ମଧ୍ୟ ସେନା ପକ୍ଷରୁ କୁହାଯାଇଛି ଯେ ପୁଲିସ ଏହି ସ୍ପର୍ଶକାତର ଘଟଣାରେ ୯ ବର୍ଷ ପରେ ମଧ୍ୟ କାହିଁକି ଚାର୍ଜସିଟ୍ ଦାଖଲ କରି ନାହିଁ । ଗତ ୯ ବର୍ଷ ଭିତରେ ୧୦ ଜଣ ତଦନ୍ତକାରୀ ଅଧିକାରୀ ଓ ୬ ଜଣ ଏସ୍‌ପି ଏଠାରୁ ଅନ୍ୟତ୍ର ବଦଳି ହୋଇ ସାରିଛନ୍ତି ।

ପୁଲିସ ରୁପା ଇଟା ଚୋରି ପ୍ରସଙ୍ଗ ଚେର ପର୍ଯ୍ୟନ୍ତ ନ ଯାଇ ଅଧାରେ ଛାଡ଼ିଦେଇଛିି । ଏହି ଘଟଣାରେ ପୁଲିସ କେବଳ ଦୁଇ ମୂଲିଆ, ମଠ ମହନ୍ତ, ଚେଲା, ଜୁଏଲାରୀ ମାଲିକ ଓ କିଛି ବ୍ୟବସାୟୀଙ୍କୁ ଗିରଫ କରିଥିବା ବେଳେ ଗୁପ୍ତଧନ ପ୍ରସଙ୍ଗରେ ଆଗକୁ ବଢିନାହିଁ । ମାମଲାକୁ ବିଳମ୍ବିତ କରି ବଡବଡ଼ୁଆଙ୍କୁ ଖସେଇବା ପାଇଁ ଯୋଜନା କରାଯାଉନାହିଁ ତ? ଜଗନ୍ନାଥ ସେନା ପୁରୀ ଏସପିଙ୍କୁ ଦାବିପତ୍ର ଦେବା ସହ ମାମଲାର ସିବିଆଇ ତଦନ୍ତ କରାଯାଉ ଏବଂ ପୁଲିସ ଅସ୍ତ୍ରାଗାରରେ ରହିଥିବା ରୂପା ଇଟାର ସ୍ଥିତି ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଯାଉ । ଯେହେତୁ ସୁପ୍ରିମ୍ କୋର୍ଟ ୨୦୧୫ ମସିହାରେ କହିଲେ ମଠରୁ ଯାହା ବାହାରିବ ତାହା ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ଦିଆଯିବ । ଏହି ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ମହାପ୍ରଭୁ ଜଗନ୍ନାଥଙ୍କର ବୋଲି କହିଥିଲେ । ତାକୁ ଏପର୍ଯ୍ୟନ୍ତ କାହିଁକି ରତ୍ନ ଭଣ୍ଡାରକୁ ନପଠାଇ ଅସ୍ତ୍ରାଗାରରେ ରଖାଯାଇଛି? ଏ ପଟେ ମଠ ରୁପା ଇଟା ପ୍ରସଙ୍ଗରେ ପୁଲିସ ଓ ସରକାର ନିରବ ରହିଥିବା ଦେଖିବାକୁ ମିଳିଛି ।

Related Posts