ପିସି ପାଇଁ ହିତାହିତ ଜ୍ଞାନ ହରେଇଲେ ବାରିପଦା ବିଧାୟକ ପ୍ରକାଶ ସୋରେନ୍। ଅଭିଯୋଗ ମୁତାବକ ବିଧାୟକ ସୋରେନ୍ ବାରିପଦା ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀ ଙ୍କୁ ମରଣାନ୍ତକ ମାଡ଼ ମାରିଛନ୍ତି। ଏକା ସୋରେନ୍ ନୁହଁ ତାଙ୍କର କେତେକ ସମର୍ଥକ ବିଧାୟକଙ୍କ ସହ ମିଶି ମିଳିତ ଭାବରେ ଯନ୍ତ୍ରୀ ଗଣପତି ଜେନାଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି। ଏ ନେଇ ବାରିପଦା ଟାଉନ୍ ଥାନା ରେ ଏତଲା ଦାଏର କରାଯାଇଛି। ଯନ୍ତ୍ରୀ ଗଣପତି ଜେନାଙ୍କ ଏତଲା କୁ ଭିତ୍ତି କରି ବିଧାୟକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଛି ପୋଲିସ।
ସୋରେନ୍ ଓ ସମର୍ଥକଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବାରିପଦା ଆଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ଚିକିତ୍ସା ପାଇଁ କଟକ ପଠାଯାଇଥିବା ଜଣାପଡିଛି ।
ବାରିପଦା ବିଧାୟକ ପ୍ରକାଶ ସୋରେନ ଗୁରୁବାର ସକାଳୁ ଫୋନ କରି ଯନ୍ତ୍ରୀ ଗଣପତି ଜେନାଙ୍କୁ ଡକାଇଥିଲେ । ହେଲେ ସେ ଫିଲ୍ଡ ଡ଼ିଉଟି ରେ ଥିବାରୁ ବିଧାୟକଙ୍କୁ ଦିନବେଳା ଦେଖା କରିପାରିନଥିଲେ । ସନ୍ଧ୍ୟାରେ ଶ୍ରୀ ଜେନା କାର୍ଯ୍ୟରୁ ଫେରିବା ପରେ ବିଧାୟକଙ୍କୁ ଦେଖା କରିବାକୁ ବାରିପଦା ସର୍କିଟ ହାଉସକୁ ଆସିଥିଲେ । ସେଠାରେ ବିଧାୟକ ତାଙ୍କ ସମର୍ଥକଙ୍କୁ କଣ ପାଇଁ କାମ ମିଳୁନାହିଁ ବୋଲି ପଚାରିବା ସହ ଗାଳିଗୁଲଜ କରିଥିଲେ। ତାଙ୍କ ସମର୍ଥକଙ୍କୁ କାମ ଦେବା ଓ ମିଥ୍ୟା ବିଲ୍ କୁ ପାସ୍ କରିବାକୁ ଚାପ୍ ପକାଇଥିଲେ। ଏହା ନା କରିବାରୁ ହଠାତ୍ ରାଗିକରି ଖରାପ୍ ଭାଷାରେ ଗାଳି ଗୁଲଜ୍ କରିବା ସହ ଗଣପତି ଜେନାଙ୍କ ଉପରକୁ ଆକ୍ରମଣ କରିଥିଲେ ।
ସହକାରୀ ନିର୍ବାହୀ ଯନ୍ତ୍ରୀ ଜଣେ ଡାଇବେଟିସ ଓ ହାର୍ଟ ପେସେଣ୍ଟ। ତା ସତ୍ତ୍ଵେ ତାଙ୍କୁ ନିର୍ଘାତ ପିଟି ଚାଲିଥିଲେ। ଏପରିକି ବାଉଁଶରେ ତାଙ୍କୁ ପିଟିଥିବା ଅଭିଯୋଗ କରିଛନ୍ତି। ଜେନା ବାବୁ ଯେତେ କାକୁତି ମିନତୀ ହୋଇଥିଲେ ମଧ୍ୟ ତାଙ୍କୁ ଛାଡି ନଥିଲେ । ଯେତେବେଳେ ଜେନା ବାବୁଙ୍କ ଦେହ ବିଗିଡିବାରେ ଲାଗିଲା ତାଙ୍କୁ ବସେଇ ପାଣି ପିଆଇ ପୁଣି ମାଡ଼ ମାରିଥିଲେ। ପରଦିନ ସକାଳେ ୫ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇ ଜେନା ବାବୁଙ୍କୁ ରାତି ୮.୩୦ ମିନିଟ ପାଖାପାଖି ସେଠାରୁ ତାଙ୍କୁ ଛାଡି ଦେଇଥିଲେ । କିଛି ସମୟ ପରେ ଅସୁସ୍ଥ ଅନୁଭବ କରିବାରୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ତାଙ୍କ ଗୋଡ ଏବଂ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରୁଥିବା ସେ ପ୍ରକାଶ କରିଛନ୍ତି ।
ଅନ୍ୟ ପଟେ ବାରିପଦା ବିଧାୟକ ପ୍ରକାଶ ସୋରେନ ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ବା ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବାରିପଦା ନିର୍ବାଚନ ମଣ୍ଡଳୀରେ ଉନ୍ନୟନ କାର୍ୟ୍ୟ ବାଧାପ୍ରାପ୍ତ ହେବାକୁ ନେଇ ସେ ତାଗିଦ କରିଥିବା ପ୍ରକାଶ କରିଛନ୍ତି । ଏହି ସମସ୍ତ ଘଟଣା ବିଧାନସଭାରେ ଉପସ୍ଥାପନ କରିବେ ବୋଲି ବିଧାୟକ ପ୍ରକାଶ ସୋରେନ କହିଛନ୍ତି ।
ତେବେ ସତ କିଏ କହୁଛନ୍ତି । ସହକାରୀ ଯନ୍ତ୍ରୀ ନା ବିଧାୟକ । ଯଦି ବିଧାୟକ ମାଡ ମାରିଛନ୍ତି, ତେବେ ତାଙ୍କୁ ଏପରି କ୍ଷମତା ଦେଲା କିଏ । ସେ ଲୋକ ପ୍ରତିନିଧି ହୋଇପାରନ୍ତି । ମାତ୍ର ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ମାଡ ମାରିବାକୁ ସେ ସାହାସ କଲେ କେମିତି । ଜଣେ ଲୋକ ପ୍ରତିନିଧି ଭାବ ସେ ଆଇନକୁ ନିଜ ହାତକୁ ନେଲେ କିପରି । ବିଜେପି ବିଧାୟକ ଶ୍ରୀ ସୋରେନଙ୍କ ଏପରି ଗୁଣ୍ଡା ରାଜକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ଅପରପକ୍ଷେ ସହକାରୀ ଯନ୍ତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଲୋକ ପ୍ରତିନିଧି ହିସାବରେ ସେ ସ୍ଥାନୀୟ ପ୍ରଶାସନକୁ ଲୋକଙ୍କ କାମ କରିବା ପାଇଁ କହିବା ତାଙ୍କର ଧର୍ମ । ସେଥିପାଇଁ ଲୋକେ ତାଙ୍କୁ ଭୋଟ ଦେଇ ନିର୍ବାଚିତ କରିଛନ୍ତି । ତେଣୁ ତାଙ୍କ କଥାକୁ ସରକାରୀ କର୍ମଚାରୀ ବା ସ୍ଥାନୀୟ ପ୍ରଶାସନ ନୀତି ନିୟମ ମଧ୍ୟରେ ଅଗ୍ରାଧିକାର ଭିତ୍ତିରେ କାର୍ୟ୍ୟକାରୀ କରିବା ଦରକାର । ତା ଅର୍ଥ ନୁହେଁ ଯେ, ବିଧାୟକ ଗୁଣ୍ଡା ଗିରି କରି କର୍ତବ୍ୟରତ କର୍ମଚାରୀଙ୍କୁ ହାତ ଉଠାଇ ମାଡ ମାରିବା, କେତେଦୂର ଯଥାର୍ଥ, ତାର ତଦନ୍ତ ହେବା ଦରକାର । ଅନ୍ୟପଟେ ଏ ଘଟଣାକୁ ନେଇ ଦିନତମାମ୍ ଥାନା ପାଖ ଅଞ୍ଚଳରେ ଉତ୍ତେଜନା ଥିଲା। ସୋରେନ୍ ଙ୍କୁ ପୋଲିସ ଉଠେଇଲା ପରେ, ତାଙ୍କର ସମର୍ଥକ ମାନେ ଭିଡ ଜମାଇଥିଲେ। ଏ ରିପୋର୍ଟ ଲେଖା ହେବାବେଳକୁ ସୋରେନଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା ହେଲେ ଗିରଫ ବିଷୟରେ କିଛି ସୂଚନା ଦେଇନାହିଁ।
Comments are closed.