ମୟୂରଭଞ୍ଜରେ ଫୁଟବଲ ମ୍ୟାଚ ବେଳେ ଅଘଟଣ, ବଜ୍ରପାତ ଘଟି ଜଣେ ମୃତ, ୩ ଆହତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି। ମୟୂରଭଞ୍ଜ ଜିଲ୍ଲା ଲକ୍ଷ୍ମୀପୋଷସ୍ଥିତି ରଜାବସା ଠାରେ ଖେଳପଡ଼ିଆରେ ଆଜି ଅପରାହ୍ନରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଉଛନ୍ତି ବାରିପଦା ବ୍ଲକ ଶାଳବଣୀ ଗାଁର ଅଶୋକ ମୁର୍ମୁ (୩୦)। ସେ ମ୍ୟାଚ ଦେଖିବା ପାଇଁ ଯାଇଥିଲେ। ତେବେ ଆହତମାନଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ଖେଳ ପଡିଆରେ ଏପରି ବଜ୍ରପାତ ଘଟଣା ରାଜ୍ୟରେ ପ୍ରଥମ ନୁହେଁ । ପୁର୍ବରୁ ୨୦୧୮ ମସିହା ଜୁନ୍ ୧୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଳା ବାଲିଶଙ୍କରା ବ୍ଲକ୍ ଅନ୍ତର୍ଗତ ତଳସରା ସାଗବାହାଲ ଗ୍ରାମରେ ହକି ମ୍ୟାଚ ଚାଲିଥିବା ବେଳେ ବଜ୍ରପାତ ଘଟିଥିଲା। ଏଥିରେ ସୁମନ୍ତ ଗଉଡ଼(୨୯), ସୁଶାନ୍ତ ଗଉଡ଼(୨୦) ଏବଂ ସାଗବାହାଲ ଗ୍ରାମର ରବିନାରାୟଣ ତନ୍ତୀ(୨୫)ଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଜହରୁ ତନ୍ତୀ ଓ ମହେଶ୍ୱର ତନ୍ତୀ ଗୁରୁତର ଥିବାରୁ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଇଥିଲା। କେବଳ ସେତିକି ନୁହେଁ, ୨୦୧୮ ମେ\’ ମାସ ୨୭ ତାରିଖରେ କେନ୍ଦୁଝର ଜିଲ୍ଲା ହରଚନ୍ଦନପୁରରେ ଦର୍ଶକ ଭରପୂର ଖେଳପଡ଼ିଆରେ ହଠାତ୍ ବଜ୍ରପାତ ହେବାରୁ ୧୪ ଜଣ ଖେଳାଳିଙ୍କ ସହ ୩ ଦର୍ଶକ ଗୁରୁତର ହୋଇଥିଲେ। କିନ୍ତୁ ସମସ୍ତେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ।

Related Posts