ଢେଙ୍କାନାଳ(ସତ୍ୟପାଠବ୍ୟୁରୋ) : ଖୁସିରେ ଲାଗିଲା ନିଆଁ। ବାହାଘର ପାଇଁ ନାଚ ଗୀତ ଚାଲିଥିଲା। ନାଚି ନାଚି ବରଯାତ୍ରୀ ଯାଉଥିଲେ। ହଠାତ ବରଯାତ୍ରୀଙ୍କ ଉପରେ ପଡ଼ିଲା ବଜ୍ରପାତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଝୁମ୍ପୁଡ଼ିଆରେ । ବଜ୍ରପାତରେ ଜଣେ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକ କୋଇଲିପଙ୍ଗି ଗାଁର ଅମିନ ବେହେରା ବୋଲି ଜଣାପଡ଼ିଛି। ଗୁରୁତର ତପନ ଜେନା, ମନୋଜ ଦେହୁରୀଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନରେ ଝୁମ୍ପୁଡ଼ିଆରୁ ରଞ୍ଜା ଗାଁକୁ ଏକ ବରାଯାତ୍ରୀ ଦଳ ଯାଉଥିଲେ । ଏହି ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ଫଳରେ ୩ଜଣ ଅସୁସ୍ଥ ହୋଇପଡ଼ିଥିଲେ । ପରେ ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଅମିନଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଦୁଇ ଜଣଙ୍କ ଚିକିତ୍ସା ଜାରି ରହିଛି । ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଶୋକର ଛାୟା ଖେଳିଯାଇଛି ।