ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗତକାଲି ଓଡ଼ିଶା ଡ୍ରାଇଭର ମହାସଂଘର ରାଜଧାନୀରେ ନିଜର ୧୦ ଦଫା ନେଇ ଆନ୍ଦୋଳନ କରିଥିଲେ । ଏନେଇ ସାରା ରାଜ୍ୟର ବିଭିନ୍ନ କୋଣରୁ ଲକ୍ଷାଧିକ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ପ୍ରତ୍ୟେକଙ୍କ ହାତରେ ଢ଼େଙ୍ଗା ଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଭୋର ପାଞ୍ଚଟାରୁ ଅପରାହ୍ନ ପାଞ୍ଚଟା ମଧ୍ୟରେ ସେମାନେ ସତେଯେମିତି ରାଜଧାନୀକୁ କବଜା କରିନେଇଥିଲେ । କାହିଁକିନା ଆନ୍ଦୋଳନ ଫଳରେ ଜନସାଧାରଣ ହନ୍ତସନ୍ତ ହେବା ସହ କେଉଁଠି ଆମ୍ବୁଲାନ୍ସ ଅଟକି ଯାଇଥିଲା ତ ଆଉ କେଉଁଠି ଛାତ୍ରଛାତ୍ରୀ ଫସିଯାଇଥିଲେ । ଏପରିକି ଜରୁରୀକାଳୀନ ସେବା ବି ବାଦ୍ ପଡ଼ିଲାନି। ଯେମିତି ୧୨ଘଣ୍ଟା ପାଇଁ ସମସ୍ତେ ବୁଢ଼ିଆଣି ଜାଲରେ ଛନ୍ଦି ହୋଇଗଲେ। ଚାରିଆଡ଼ୁ ଘେରାବନ୍ଦୀ ଭିତରେ ରହିଗଲା ଗାଡ଼ିମଟର। ୪୦ ଡିଗ୍ରି ଡହଡହ ଖରାରେ ରାସ୍ତା ମଝିରେ ସିଝିଲେ ରାଜଧାନୀବାସୀ। ସେପଟେ ହାତରେ ଠେଙ୍ଗା, ବାଡ଼ି ଧରି ଆତଙ୍କ ଖେଳାଇଲେ ଆନ୍ଦୋଳନକାରୀ ଡ୍ରାଇଭରମାନେ। କାହାକୁ ପିଟିଲେ ତ ଆଉ କାହାକୁ ଧମକାଇଲେ। ୧୨ ଘଣ୍ଟା କାଳ ପୂରା ରାଜଧାନୀକୁ ନିଜ କବ୍ଜାକୁ ନେଇଗଲେ ଆନ୍ଦୋଳନକାରୀ। ପ୍ରଥମଥର କରି ଓଡ଼ିଶାରେ କୌଣସି ଆନ୍ଦୋଳନରେ ପୁଲିସ ଓ ଗୁଇନ୍ଦା ଫେଲ ମାରିଥିଲା । ତେବେ ୧୦ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲା। ଏଥିପାଇଁ କିଛି ଦିନ ହେଲା ସବୁ ଜିଲ୍ଲାରେ ପ୍ରସ୍ତୁତି ଚାଲିଥିଲା। ଏ ଖବର ଗୁଇନ୍ଦା, ପୁଲିସ ପାଖରେ ଥିଲା।
ସମାବେଶ ପାଇଁ ଅନୁମତି ନଥିଲେ ବି ୨୫ ପ୍ଲାଟୁନ୍ ପୁଲିସ ସଜାଗ ହୋଇଥିଲେ। ପୁଲିସ ବଳ ସକାଳ ୯ଟା ପାଇଁ ପ୍ରସ୍ତୁତ ହୋଇରହିଥିଲେ। କିନ୍ତୁ ଭୋର୍ ହେବା ବେଳକୁ ପ୍ରାୟ ଦେଢ଼ ଲକ୍ଷ ଆନ୍ଦୋଳନକାରୀ ରାଜଧାନୀକୁ ମାଡ଼ି ଆସିଥିଲେ। ଗତକାଲି ବିଳମ୍ବିତ ରାତିରୁ ସୁଅ ଛୁଟିଥିଲା। ବସ୍, ଟ୍ରକ୍, ଚାରିଚକିଆ ଓ ଟ୍ରେନ୍ରେ ଆନ୍ଦୋଳନକାରୀମାନେ ଆସିଥିଲେ। ପ୍ରମୁଖ ରାସ୍ତାସବୁକୁ କବ୍ଜା କରି ରଣହୁଙ୍କାର ଦେଲେ। ଏତେ ବଡ଼ ସମାବେଶ କଲେ। ମାତ୍ର ଏହାର ସାମାନ୍ୟତମ ଟେର୍ ପାଇନଥିଲା କମିସନରେଟ ପୁଲିସ। ସକାଳୁ ପୁଲିସ ନିଦ ଭାଙ୍ଗିବା ବେଳକୁ ରାଜଧାନୀରେ ଲକ୍ଷାଧିକ ଆନ୍ଦୋଳନକାରୀ ପଶି ସାରିଥିଲେ। ଅନ୍ୟପଟେ ପ୍ରାୟ ଦେଢ଼ ଲକ୍ଷ ଆନ୍ଦୋଳନକାରୀଙ୍କୁ ମାତ୍ର ୨୫ ପ୍ଲାଟୁନ୍ ଫୋର୍ସ ଧରି ମୁକାବିଲା କରିବା ପୁଲିସର ଆଉ ବଳ ପାଇ ନ ଥିଲା। ଆଖି ଆଗରେ ସହରକୁ କବ୍ଜା କରି ନେଇଥିଲେ। ଏପରିକି ଜରୁରିକାଳୀନ ସେବା ମଧ୍ୟ ଭିଡ ଭିତରେ ଅଣନିଃଶ୍ବାସୀ ହୋଇଯାଇଥିଲା।
ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ସବୁରାସ୍ତାକୁ ମଧ୍ୟ କବ୍ଜା କରି ନେଇଥିଲେ ଆନ୍ଦୋଳନକାରୀ। ଆଖି ଆଗରେ ସବୁ କିଛି ଘଟି ଚାଲିଥିଲେ ମଧ୍ୟ ଅସହାୟ ହୋଇ ପଡ଼ିଥିଲା କମିସନରେଟ ପୁଲିସ। ଅସହାୟ ପୁଲିସ ଏକପ୍ରକାର ହାତ ଟେକି ଦେଇଥିଲା। ଏମିତିକି କିଛି ବିକ୍ଷୋଭକାରୀ ବିଶୃଙ୍ଖଳିତ ଆଚରଣ କରିଥିଲେ ବି ପୁଲିସ ନିରବଦ୍ରଷ୍ଟା ସାଜିଥିଲା। ଏଇଠି ପ୍ରଶ୍ନ ଉଠୁଛି ଯେ ଏହି ଘଟଣା ପାଇଁ ଦାୟୀ କିଏ? କାହିଁକି ଏଭଳି ଘଟଣାକୁ ପୂର୍ବରୁ ଆକଳନ କରାଯାଇ ପାରିଲା ନାହିଁ ? ଗୁଇନ୍ଦା ଓ କମିସନରେଟ ପୁଲିସ କଣ କରୁଥିଲା ? ବିନା ଅନୁମତିରେ ଏତେ ବଡ଼ ଆନ୍ଦୋଳନକୁ କିପରି ସଫଳ କରିପାରିଲେ ଆନ୍ଦୋଳନକାରୀ ? କାହିଁକି ସାମାନ୍ୟତମ ଟେର୍ ପାଇପାରିଲା ନାହିଁ କମିସନରେଟ ପୁଲିସ? କାହିଁକି ଜନସାଧାରଣ ଓ ଜରୁରିକାଳୀନ ସେବା ଘଣ୍ଟା ଘଣ୍ଟା ପାଇଁ ଫସି ରହିଥିଲା? ଆନ୍ଦୋଳନ ପାଇଁ ପୂର୍ବରୁ ସୂଚନା ଥିବା ସତ୍ତ୍ୱେ କାହିଁକି ପୁଲିସ ଉଚିତ ପଦକ୍ଷେପ ନେଇ ପାରିଲା ନାହିଁ ? ଏପରି ଅନେକ ପ୍ରଶ୍ନ ବର୍ତ୍ତମାନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।
ଅନ୍ୟପଟେ ରାଜ୍ୟରେ ଏହା ପୂର୍ବରୁ ଅନେକ ଆନ୍ଦୋଳନ ହୋଇଛି ହେଲେ ପୁଲିସର ଏପରି ଅସହାର କେବି ରାଜ୍ୟବାସୀ ଦେଖିନଥିଲେ । ପୂର୍ବରୁ ଚାଷୀ ଆନ୍ଦୋଳନ ବେଳେ ହଜାର ହଜାର ସଂଖ୍ୟାର ଚାଷୀଙ୍କୁ ପୁଲିସ ଅଟକାଇବାରେ ସଫଳ ହୋଇଥିଲା। ସେତେବେଳେ ଗୁଇନ୍ଦାର ସୂଚନା ଓ କାର୍ୟ୍ୟଧାରା ବେଶ୍ ଉଲ୍ଲେଖନୀୟ ଥିଲା। ପୂର୍ବରୁ ରାଜନୈତିକ ଆନ୍ଦୋଳନ, ହଜାର ହଜାର ସଂଖ୍ୟାରେ ଶିକ୍ଷକ ଆନ୍ଦୋଳନକୁ ଅଟକାଇଥିବା ପୁଲିସ କିନ୍ତୁ ଏଥର ଫେଲ୍ ମାରିଥିଲା। ଡ୍ରାଇଭର ସଂଘ ଆନ୍ଦୋଳନ କରିବ ବୋଲି ଯେବେଠୁ ଶୁଣିବାକୁ ମିଳିଥିଲା, ସେବେଠୁ ଗୁଇନ୍ଦା ଏହା ଉପରେ କାମ କରିବା କଥା। ଏତେବଡ଼ ଆନ୍ଦୋଳନକୁ ଏଡ଼ାଇବା ଲାଗି ଜିଲ୍ଲା ସ୍ତରରେ ସ୍ପେସାଲ ବ୍ରାଞ୍ଚ ଓ ପୁଲିସକୁ ଖବର ଦିଆଯିବା କଥା। ଯେମିତି ଆନ୍ଦୋଳନକାରୀଙ୍କୁ ଜିଲ୍ଲା ସ୍ତରରେ ଅଟକାଇ ହେବ ସେଥିଲାଗି ପଦକ୍ଷେପ ନିଆଯିବା କଥା। ଏପରିକି ଦୂର ଦୂରାନ୍ତର ବସ, ଟ୍ରକ୍, ଚାରି ଚକିଆ ଗାଡ଼ି ଯୋଗେ ଯେଉଁମାନେ ଆସିବା ପୂର୍ବରୁ ଯୋଜନା ହୋଇଥିଲା। ତେଣୁ ଆରଟିଓମାନେ ସେହି ଗାଡ଼ିଗୁଡ଼ିକୁ ନିଜ ହେପାଜତକୁ ମଧ୍ୟ ନେଇଯିବାର ନିୟମ ରହିଛି।
କିନ୍ତୁ ଏହି ସବୁ ପଦକ୍ଷେପ ନିଆଯାଇନଥିଲା ବୋଲି ଅଭିଯୋଗ ହେଉଛି। ଅନୁମତି ନ ଥିବା ସତ୍ତ୍ବେ ଆନ୍ଦୋଳନକାରୀମାନେ ଜିଲ୍ଲା ପରେ ଜିଲ୍ଲା ଡେଇଁ କେମିତି ରାଜଧାନୀରେ ପହଞ୍ଚିଲେ? ଏହି ଘଟଣା କେବଳ ଜନସାଧାରଣ ନୁହେଁ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ, ନେତାଙ୍କୁ ବି ଚକିତ କରିଛି। ଓଡ଼ିଶା ପୁଲିସର ଦାୟିତ୍ୱହୀନତା ପାଇଁ ଗତକାଲି ରାଜଧାନୀବାସୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାଜଧାନୀର ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଥିଲା । ତେବେ ବର୍ତ୍ତମାନ ଦେଖିବାର ବିଷୟ ଏନେଇ ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
