ଡୋନବାସ ଉପରେ ରୁଷ ସେନା ନଜର: ସୁରକ୍ଷିତ ଭାବେ ପଶ୍ଚିମ ପ୍ରାନ୍ତକୁ ଚାଲିଯିବାକୁ ନିର୍ଦ୍ଦେଶ

କିଭ୍‌: ଫେବୃଆରୀ ୨୪ ରୁ ଆରମ୍ଭ ହୋଇଥିବା ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏଯାବତ ଚାଲୁ ରହିଛି | ଆକ୍ରୋଶ ଭାବେ ରୁଷ ଲଗାତାର ଭାବେ ଅନେକ କଟକଣା ପରେ ବି ଆକ୍ରମଣ କରି ଚାଲିଛି | ତେବେ ଏହାରିମଧ୍ୟରେ ୟୁକ୍ରେନ ପୂର୍ବପ୍ରାନ୍ତରେ ରୁଷ ସେନା ସବୁଠାରୁ ବଡ଼ଧରଣର ହମଲା ଆରମ୍ଭ କରିଦେଇଛି। ରାଜଧାନୀ କିଭ୍‌କୁ ଦଖଲ କରିବାରେ ବିଫଳ ହେବା ପରେ ରୁଷ ଏବେ ନୂଆ ରଣନୀତି ସହ ପୂର୍ବ ପ୍ରାନ୍ତରେ ଥିବା ଡୋନବାସକୁ ନିଜ ଅକ୍ତିଆରକୁ ନେବା ପାଇଁ ହମଲା କରୁଛି।

ଏହା ରୁଷର ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ। ପ୍ରଥମ ପର୍ଯ୍ୟାୟ ହମଲାରେ ରୁଷ ବିଫଳ ହୋଇଥିଲା। ତେଣୁ ଏବେ ରୁଷ ସେନା ଡୋନବାସ ଦଖଲ କରିବାକୁ ଯୁଦ୍ଧ ଆରମ୍ଭ କରିଥିବା ୟୁକ୍ରେନ ପ୍ରଶାସନ ସ୍ପଷ୍ଟ କରିଛି।୨୦୧୪ ପରଠାରୁ ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ୟୁକ୍ରେନର ଡୋନବାସ ଅଞ୍ଚଳ କିଛି ମାତ୍ରାରେ ରହିଛି। ରୁଷ ଏମାନଙ୍କୁ ସବୁ ପ୍ରକାରର ସହଯୋଗ କରୁଥିବାରୁ ବିଚ୍ଛିନ୍ନତାବାଦୀମାନେ ୟୁକ୍ରେନ ସେନା ବିରୋଧରେ ଲଢ଼ୁଛନ୍ତି। ଏବେ ଇଷ୍ଟର୍ଣ୍ଣ ରିଜନରେ ଥିବା ଡୋନବାସ ଉପରେ ପୁଣିଥରେ ରୁଷ ଧ୍ୟାନ କେନ୍ଦ୍ରିତ କରିଛି।

ପୂର୍ବରୁ ମଧ୍ୟ ରୁଷ ସେନା ଡୋନବାସ ସହ ୟୁକ୍ରେନର ବିଭିନ୍ନ ପ୍ରାନ୍ତରେ ଆକ୍ରମଣ କରିଥିଲା। କିନ୍ତୁ ୟୁକ୍ରେନ ସେନାର ଜୋରଦାର ଜବାବ ଯୋଗୁ ରୁଷ ସାମାନ୍ୟ ବ୍ୟାକଫୁଟରେ ରହିଛି। ଏହାକୁ ଦୃଷ୍ଟିରେ ରଖି ମସ୍କୋ ଏବେ କେବଳ ଡୋନବାସ ଉପରେ ନଜର ପକାଇଛି।

ସୋମବାର ବିଳିମ୍ବିତ ରାତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଛନ୍ତି, “ଆମେ ସମସ୍ତଙ୍କୁ ନିଶ୍ଚିତ କରୁଛୁ ଯେ ରୁଷ ସେନା ଏବେ ଡୋନବାସକୁ ଦଖଲ କରିବା ପାଇଁ ଯୁଦ୍ଧ ଆରମ୍ଭ କରିଛି। ଡୋନବାସକୁ ଦଖଲ କରିବା ପାଇଁ ସେମାନେ ଦୀର୍ଘଦିନ ହେଲା ଯୋଜନା କରିଥିଲେ। ୟୁକ୍ରେନକୁ ରୁଷ ଯେତେ ସଂଖ୍ୟକ ସୈନ୍ୟ ଆଣିଲେ ବି ଆମେ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବୁ। ଆମେ ନିଜର ସୁରକ୍ଷା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ।”

ରୁଷ ଡୋନବାସ ଦଖଲ ପାଇଁ ଆକ୍ରମଣ ଆରମ୍ଭ କରିଥିବାରୁ କିଭ୍‌ ପକ୍ଷରୁ ସେଠାରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଭାବେ ପଶ୍ଚିମ ପ୍ରାନ୍ତକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୁଷ ପକ୍ଷରୁ ଏବେ ଦ୍ୱିତୀୟ ପର୍ଯ୍ୟାୟ ଯୁଦ୍ଧ ଆରମ୍ଭ ହୋଇଛି ବୋଲି ୟୁକ୍ରେନ ରାଷ୍ଟ୍ରପତିଙ୍କ ମୁଖ୍ୟ ପରାମର୍ଶଦାତା ସ୍ପଷ୍ଟ କରିଛନ୍ତି।

ରୁଷ ସେନା ଡୋନବାସକୁ ଦଖଲ କରି ନେଲେ ମସ୍କୋ ଗୋଟିଏ ଦକ୍ଷିଣ କରିଡର ଦ୍ୱାରା କ୍ରିମେଆରେ ନିଜର ହୁକୁମାତି ଆରମ୍ଭ କରିପାରିବ। ୨୦୧୪ରେ ରୁଷ ସେନା ୟୁକ୍ରେନର କ୍ରିମେଆକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ତଥାପି ଅନେକ ସମୟରେ ରୁଷ ଏଠାରେ ବିଭିନ୍ନ ପ୍ରକାରର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ତେଣୁ ଡୋନବାସ ଦ୍ୱାରା କ୍ରିମେଆ ଉପରେ ସଂପୂର୍ଣ୍ଣ ଅଧିକାର ଜାହିର କରିବାକୁ ରୁଷ ଯୋଜନା କରୁଛି।

ଦକ୍ଷିଣ ପ୍ରାନ୍ତରେ ମଧ୍ୟ ୟୁକ୍ରେନର ବନ୍ଦର ସହର ମାରିୟୁପୋଲ ଉପରେ ରୁଷ ଆକ୍ରମଣ କରି ଚାଲିଛି। ହେଲେ ଏଠାରେ ୟୁକ୍ରେନ ସେନା ଜୋରଦାର ଲଢ଼େଇ କରୁଛନ୍ତି। ତେଣୁ ରୁଷର ଯୋଜନା ଫଳପ୍ରଦ ହେଉନି। ରୁଷ ପକ୍ଷରୁ ୟୁକ୍ରେନର ପୂର୍ବପ୍ରାନ୍ତକୁ ୧୧ ବାଟାଲିୟନ ଟାଟିକାଲ ଗ୍ରୁପ, ତୋପ, ହେଲିକପ୍ଟର ଓ ଯବାନଙ୍କ ସହାୟତା ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ପଠାଯାଇଛି।

ଅନ୍ୟପକ୍ଷରେ ରୁଷ ସହ ଲଢ଼ିବାକୁ ଆମେରିକା ସୋମାବର ୟୁକ୍ରେନକୁ ନୂଆ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଛି। ସୋମବାର ନୂଆ ଶିପମେଣ୍ଟ ୟୁକ୍ରେନ ସୀମାରେ ପହଞ୍ଚିବା ପରେ ସେନା କର୍ମଚାରୀଙ୍କୁ ଦିଆଯାଇଛି।

Related Posts