
ବିଭିନ୍ନ ଦାବି ପୂରଣ ନେଇ ଗତ ମାସ ରାଜ୍ୟରେ ହୋଇଥିଲା ଏକ ବଡ଼ କୃଷକ ଆନ୍ଦୋଳନ । ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ଏକାଠି ହୋଇ ସରକାରଙ୍କ ଉପରେ ଚାପ ପକାଇବାକୁ ରାଜଧାନୀ ଭୁବନେଶ୍ବର ଆସୁଥିଲେ । କିନ୍ତୁ ସେମାନଙ୍କୁ ରାଜଧାନୀ ଭିତରକୁ ପଶିବାକୁ ଦିଆଗଲା ନାହିଁ । ପୋଲିସ୍ ଲଗାଇ ସେମାନଙ୍କୁ ତଡ଼ିଲେ ରାଜ୍ୟ ସରକାର । ଏବେ ସେହି ଚାଷୀଙ୍କ ସ୍ବାର୍ଥକୁ ବାହାନା କରି ବିଜେଡି ନିର୍ବାଚନ ବୈତରଣୀ ପାର୍ ହେବାକୁ କରିଛି ଯୋଜନା । ଯାହାକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଆସନ୍ତା 8 ତାରିଖରେ ସଂସଦ ଘେରିବାକୁ ଯୋଜନା କରିଛି ବିଜୁ ଜନତା ଦଳ । ସ୍ବତନ୍ତ୍ର ଟ୍ରେନ୍ରେ ଦଳୀୟ ନେତା, ବିଧାୟକ, ସାଂସଦଙ୍କ ସମେତ ବିଜୁ ଛାତ୍ର, ମହିଳା, ଯ଼ୁବକ, କୃଷକ ସଂଗଠନର କର୍ମକର୍ତ୍ତା ଦିଲ୍ଲୀ ଯାଇ ସେଠି ଆନ୍ଦୋଳନ କରିବେ । ଏହାକୁ ବିରୋଧୀ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।
କହିଛନ୍ତି ଚାଷୀଙ୍କ ନାଁରେ କେବଳ ରାଜନୀତି କରୁଛି ବିଜେଡି । ରାଜ୍ୟରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ବଢ଼ିଛି, ଜଳ ସେଚନରେ ନାନା ଅବ୍ୟବସ୍ଥା, ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଠିକ୍ ମୂଲ୍ୟ ମିଳୁନାହିଁ । ଏ ନେଇ ଚାଷୀଙ୍କ ଭିତରେ ରହିଛି ଘୋର ଅସନ୍ତୋଷ ରହିଛି । ଏଥିରୁ ବର୍ତ୍ତିବା ପାଇଁ ବିଜେଡି ବାହାନା କରୁଛି । ରାଜ୍ୟରେ ଚାଷୀଙ୍କୁ ସେପଟେ କଂଗ୍ରେସ ମଧ୍ୟ ସେହି 8 ତାରିଖରେ କୃଷକ ଗର୍ଜନ ସମାବେଶ କରିବାକୁ ଯୋଜନା ରଖିଛି ।