(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ବିଧାନସଭା ମରୁଡ଼ି ପ୍ରସଙ୍ଗରେ ସରଗରମ ରହିଥିଲା। ବିରୋଧୀଙ୍କ ପକ୍ଷରୁ ହଟ୍ଟଗୋଳ ହୋଇଥିଲା। ଏହା ସତ୍ତ୍ବେ ବିଧାନସଭାରେ ବୁଧବାର ଦିନ ବିଧାନସଭାରେ ସାତଟି ବିଲ୍‌ ଆଗତ ହୋଇଛି। ଅଧିବେଶନର ଦ୍ବିତୀୟାର୍ଦ୍ଧରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ବିଲ୍ ଗୁଡିକି ଗୃହରେ ଉପସ୍ଥାପନ କରିଥିଲେ। ଏହି ୭ଟି ବିଲ୍ ହେଉଛି – ” ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ଟ୍ରଷ୍ଟ(ସଂଶୋଧନ) ବିଲ୍-୨୦୨୧ ଏବଂ ଓଡ଼ିଶା ବସ୍ତି ବାସିନ୍ଦାମାନଙ୍କର ଭୂମି ଅଧିକାର (ସଂଶୋଧନ) ବିଲ-୨୦୨୧, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡ଼ିଶା ଦ୍ରବ୍ୟ ଓ ସେବା କର (ସଂଶୋଧନ) ବିଲ-୨୦୨୧, ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଲ୍-୨୦୨୧ ଏବଂ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ(ସଂଶୋଧନ) ବିଲ୍-୨୦୨୧, ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଅନୁପସ୍ଥିତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ-୨୦୨୧, ବୈଷୟିକ ଶିକ୍ଷା ମନ୍ତ୍ରୀ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍-୨୦୨୧ ଉପସ୍ଥାପନ କରିଥିଲେ। ଏହା ବାଦ୍ ନଗର ଉନ୍ନୟନ ମନ୍ତ୍ରୀ ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ଟ୍ରଷ୍ଟ(ସଂଶୋଧନ) ଅଧ୍ୟାଦେଶ-୨୦୨୧ ।”

ତେବେ ମନ୍ତ୍ରୀ ବିଲ୍‌ ଉପସ୍ଥାପନ କରୁଥିବାବେଳେ ବିରୋଧୀ ଦଳ ସଦସ୍ୟମାନେ ଗୃହରେ ଜୋରଦାର ହଙ୍ଗାମା କରିଥିଲେ। ଏମିତିକି ଗୃହରେ ବିଲ୍ ଆଗତ ହେଉଥିବା ବେଳେ ସଭ୍ୟମାନଙ୍କୁ ବିଲ୍‌ର ନକଲ ଦିଆଯାଉ ନ ଥିବାରୁ କଂଗ୍ରେସ ବିଧାୟକ ଦଳ ନେତା ତଥା ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଆପତ୍ତି ଉଠାଇଥିଲେ। ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ ଶ୍ରୀ ମିଶ୍ରଙ୍କ କଥାକୁ ସମର୍ଥନ କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଅପରାହ୍ନ ଅଧିବେଶନରେ ଦୁଇଟି ପର୍ଯ୍ୟାୟରେ ୧୫ ମିନିଟ୍‌ ଗୃହ ମୁଲତବୀ ରହିଥିଲା। ଏହି ହଟ୍ଟଗୋଳ ଭିତରେ ମନ୍ତ୍ରୀମାନେ ବିଲ୍‌ ଆଗତ କରିଥିଲେ। ଶେଷରେ ବିଲ୍‌ ଉପରେ ଆଲୋଚନା ପାଇଁ ସମୟ ନିର୍ଘଣ୍ଟ କରିବାକୁ କାର୍ଯ୍ୟ ପରାମର୍ଶଦାତା ବୈଠକ ଡାକି ବାଚସ୍ପତି ଗୃହକୁ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।