ଓଟିଏମ୍ ମାମଲା: ଆସନ୍ତା ୧୫ ତାରିଖରୁ ୪୪୯୫ ଶ୍ରମିକଙ୍କୁ ଦିଆଯିବ ବକେୟା ପ୍ରାପ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ଟେକ୍ସଟାଇଲ୍‌ ମିଲ୍ସ (ଓଟିଏମ୍‌)ର ମୋଟ୍‌ ୪ ହଜାର ୪୯୫ଜଣ ଶ୍ରମିକଙ୍କୁ ସେମାନଙ୍କର ସମସ୍ତ ବକେୟା ଅର୍ଥ ପ୍ରଦାନ କରାଯିବ । ଏହି ଅର୍ଥ ଆସନ୍ତା ୧୫ ତାରିଖରୁ ବଣ୍ଟାଯିବା ଆରମ୍ଭ ହେବ । ଶୁକ୍ରବାର ହାଇକୋର୍ଟରେ ଅଫିସିଅଲ ଲିକ୍ୱିଡେଟରଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରାଯାଇଛି । ଏହି ସତ୍ୟପାଠକୁ ବିଚାରକୁ ନେଇ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବିଶ୍ୱନାଥ ରଥ ଏହି ମାମଲାର ଶୁଣାଣି ଆସନ୍ତା ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତି ।

ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଫିସିଆଲ୍‌ ଲିକ୍ୱିଡେଟର ସତ୍ୟପାଠ ଦାଖଲ କରି କେତେ ଶ୍ରମିକଙ୍କୁ କେତେ ପର୍ଯ୍ୟାୟରେ ସମସ୍ତ ବକେୟା ଅର୍ଥ ପ୍ରଦାନ କରାଯିବ ତାହାର ଏକ ବିସ୍ତୃତ ସୂଚନା ଦେଇଛନ୍ତି । ଏଥିରେ କୁହାଯାଇଛି, ୪ ହଜାର ୪୯୫ ଜଣ ଶ୍ରମିକଙ୍କ ମଧ୍ୟରୁ ପ୍ରଥମେ ୩୦୨୩ଜଣ ଶ୍ରମିକଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରାଯିବ । ଏହି ଶ୍ରମିକଙ୍କୁ ୨୦୧୮ ମସିହାର ହାଇକୋର୍ଟଙ୍କ ଏକ ଅନ୍ତରୀଣ ନିର୍ଦ୍ଦେଶ ଆଧାରରେ ୭ ହଜାର ଟଙ୍କା ଲେଖାଏଁ ଦିଆଯିବ । ବର୍ତ୍ତମାନ ସେମାନଙ୍କର ମୋଟ୍‌ ପ୍ରାପ୍ୟରୁ ଏହି ୭ ହଜାର ଟଙ୍କା କଟାଯାଇ ବାକି ସମସ୍ତ ଅର୍ଥ ପ୍ରଦାନ କରଯିବ । ଅପରପକ୍ଷରେ ଆଉ ୮୬ଜଣ ଶ୍ରମିକଙ୍କୁ ସେମାନଙ୍କର ବକେୟା ଅର୍ଥ ପ୍ରଦନ କରାଯିବ । ଏହି ୮୬ ଶ୍ରମିକଙ୍କ ପ୍ରୋଭିଡେଣ୍ଟ ଫଣ୍ଡ୍‌ର ସବିଶେଷ ତାଲିକା ମଗାଯାଇଛି । ଏହି ତାଲିକା ଆସିଯିବା ପରେ ସେମାନଙ୍କୁ ସମସ୍ତ ବକେୟା ଅର୍ଥ ମିଳିଯିବ । ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଶ୍ରମିକଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରାଯିବ ।

ଆସନ୍ତା ୧୫ତାରିଖରୁ ଅଫିସିଅଲ ଲିକ୍ୱିଡେଟରଙ୍କ କାର୍ଯ୍ୟାଳୟରେ ଏହି ଅର୍ଥ ପ୍ରଦାନ କରାଯିବ । ଟଙ୍କା ନେବା ପାଇଁ ସମ୍ପୃକ୍ତ ଶ୍ରମିକମାନେ ସେମାନଙ୍କ ବ୍ୟାଙ୍କ୍‌ ପାସ୍‌ ବୁକ୍‌ର ଜେରକ୍ସ, ନିଜର ପ୍ରମାଣପତ୍ର ପାଇଁ ଆଧାରକାର୍ଡର ଜେରକ୍ସ କପି ପ୍ରଦାନ କରିବେ । ଏଥିସହ ସେମାନେ ଏକ ସତ୍ୟପାଠ ମଧ୍ୟ ଦାଖଲ କରିବେ । ଯେଉଁଥିରେ ଉଲ୍ଲେଖ କରିବେ ଯେ, ଯଦି କୌଣସି କାରଣରୁ ସେମାନଙ୍କ ଅକାଉଣ୍ଟକୁ ଭୁଲ୍‌ରେ ଅଧିକ ଅର୍ଥ ଚାଲି ଯାଇଥିବ କିମ୍ବା ଭୁଲ୍‌ରେ ଟଙ୍କା ଦିଆଯାଇଥିବ ସେହି ଅର୍ଥକୁ ପରବର୍ତ୍ତୀ ସମୟରେ ଫେରସ୍ତ ନିଆଯାଇ ପାରିବ । ଏହି ମର୍ମରେ ଅଫିସିଆଲ ଲିକ୍ୱିଡେଟରଙ୍କ ପକ୍ଷରୁ ନୋଟିସ୍‌ ମଧ୍ୟ ଜାରି କରାଯାଇଛି ।

Related Posts