ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାକୁ ବିଶ୍ୱସ୍ତରୀୟ ଉଚ୍ଚମାନର ଇସ୍ପାତ ନିର୍ମାଣ ହବ୍‌ରେ ପରିଣତ କରିବା ପାଇଁ ବଡ଼ ପଦକ୍ଷେପ ନିଆଯାଇଥିବାର ଦେଖିବାକୁ ମିଳିଛି । ତେବେ ସମ୍ୱଲପୁରର ରେଙ୍ଗାଲୀ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ JSW ଷ୍ଟିଲ୍ ଲିମିଟେଡ୍ ଏବଂ ଜାପାନର JFE ଷ୍ଟିଲ୍ କର୍ପୋରେସନ୍ ମଧ୍ୟରେ ଏକ ଯୁଗ୍ମ ସହଭାଗିତା (Joint Venture) ଆରମ୍ଭ ହୋଇଛି। ଏହି ସହଭାଗିତା ବିଶେଷ କରି ଇଲେକ୍ଟ୍ରିକାଲ ଷ୍ଟିଲ୍ ଉତ୍ପାଦନରେ ସହାୟକ ହେବ, ଯାହା ଇଲେକ୍ଟ୍ରିକ୍ ଯାନ (EV) ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବ ବୋଲି ସୂଚନା ମିଳିଛି। ଏହି ପ୍ରକଳ୍ପ ଜରିଆରେ ଜାପାନ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ୧୫,୦୦୦ କୋଟି ଟଙ୍କାର ଏକକ ପୁଞ୍ଜିନିବେଶ କରାଯାଇଛି। ଏହାଦ୍ୱାରା JSW ଷ୍ଟିଲର ବର୍ତ୍ତମାନର କ୍ଷମତା ବାର୍ଷିକ ଅତିରିକ୍ତ ୧୦ ନିୟୁତ ଟନ୍ (10 MTPA) ବୃଦ୍ଧି ପାଇବ । ସେପଟେ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୩୦ ସୁଦ୍ଧା ବାର୍ଷିକ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବା ପାଇଁ ଆମେ ପ୍ରତିବଦ୍ଧ। ଏହି ଲକ୍ଷ୍ୟ ପୂରଣ ପାଇଁ ଆମ ପାଖରେ ଆବଶ୍ୟକୀୟ ସମ୍ବଳ, ନୀତି ଏବଂ ଭିତ୍ତିଭୂମି ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ଏହା ସହ ରାଜଧାନୀ ଅଞ୍ଚଳ ଭଳି ରାଉରକେଲା, ଝାରସୁଗୁଡ଼ା, ବରଗଡ଼ ଏବଂ ଦେବଗଡ଼କୁ ନେଇ ‘ସମ୍ବଲପୁର ଗ୍ରୋଥ୍ କରିଡର’ ବିକଶିତ କରାଯିବ। ଏହି କରିଡରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ସହ ୨ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି। ଏପରିକି ନିଜ ଗୃହ ଜିଲ୍ଲା କେନ୍ଦୁଝରରେ ନିବେଶ କରିବାକୁ JFE ଷ୍ଟିଲ୍ କମ୍ପାନୀକୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦୁଝରରେ ଉଚ୍ଚମାନର ଲୌହ ପଥର ଓ ଉତ୍ତମ ପରିବହନ ବ୍ୟବସ୍ଥା ଯୋଗୁଁ ଉତ୍ପାଦନ ଖର୍ଚ୍ଚ ପ୍ରାୟ ୫୦% ହ୍ରାସ ପାଇବ ବୋଲି କହିଥିବାର ଦେଖିବାକୁ ମିଳିଛି ।