ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପେଟ୍ରୋଲ ଓ ଡିଜେଲକୁ ନେଇ ରାଜ୍ୟରେ ଲାଗିଲା କଟକଣା । ତେବେ କୌଣସି ଗାଡ଼ିର ଟାଙ୍କିରେ ଏକକାଳୀନ ୫୦ ଲିଟର ତେଲ କିମ୍ବା ୫୦୦ ଲିଟର ଡିଜେଲ ପଡ଼ିପାରିବ ନାହିଁ । ଏହି ନିୟମ ଉଲ୍ଲଂଘନ କଲେ ସବୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସେପଟେ ଇଣ୍ଡିଆନ ଅଏଲ୍ର ଏକ ପେଟ୍ରୋଲ୍ ପମ୍ପରେ ଲାଗିଥିବା ନୋଟିସ୍ରୁ ତେଲ ବିକ୍ରି ଉପରେ କଟକଣା ଲାଗିଥିବା ଜଣାପଡ଼ିଛି। ଭୁବନେଶ୍ବର ଆର୍ଏସ୍ଏର ବିକ୍ରି ଅଧିକାରୀଙ୍କ ଦ୍ବାରା ଜାରି ଏହି ନୋଟିସ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ଲେଖାଯାଇଛି। ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏକକାଳୀନ ବିପୁଳ ପରିମାଣର ତେଲ ବିକ୍ରିକୁ ଏଡ଼ାଇବାକୁ ପେଟ୍ରୋଲ୍ ପମ୍ପମାନଙ୍କୁ କୁହାଯାଇଛି। କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ପ୍ରତିଦିନ ସ୍ଥିତିର ନିରୀକ୍ଷଣ କରୁଛନ୍ତି। ତେଣୁ ସଜାଗ ରହିବାକୁ ପେଟ୍ରୋଲ ପମ୍ପଗୁଡ଼ିକୁ କୁହାଯାଇଛି। ପୂର୍ବରୁ ବେସରକାରୀ ତୈଳ କମ୍ପାନି ଜିଓ-ବିପି ପକ୍ଷରୁ ନିର୍ଦ୍ଦିଷ୍ଟ ପରିମାଣଠାରୁ ଅଧିକ ତେଲ ବିକ୍ରି ଉପରେ କଟକଣା ଲଗାଯାଇଥିବା ଖବର ସାମନାକୁ ଆସିଥିଲା, ଯାହାକୁ କମ୍ପାନି ଖଣ୍ଡନ କରିଥିଲା। ଏବେ ଇଣ୍ଡିଆନ ଅଏଲ୍ ଭଳି ଦେଶର ଏକ ନମ୍ବର ତୈଳ କମ୍ପାନିର ପେଟ୍ରୋଲ୍ ପମ୍ପରେ ନୋଟିସ୍ ଲାଗିବା ଏକ ଅଲଗା ସ୍ଥିତିକୁ ଦର୍ଶାଉଛି। ରାଜ୍ୟରେ ତିନି ସରକାରୀ ତୈଳ କମ୍ପାନି ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ର ୨୫୦୦ରୁ ଅଧିକ ପେଟ୍ରୋଲ୍ ପମ୍ପ ରହିଛି। ସେଥିରୁ କେବଳ ଇଣ୍ଡିଆନ ଅଏଲ୍ର ୧୪୦୦ ପାଖାପାଖି ପେଟ୍ରୋଲ୍ ପମ୍ପ ରହିଛି। ଭୁବନେଶ୍ବର ଆର୍ଏସ୍ଏ ପକ୍ଷରୁ କଟକଣା ଲଗାଯାଇଥିବାରୁ ତାହା ରାଜ୍ୟର ସବୁ ପେଟ୍ରୋଲ ପମ୍ପ ପାଇଁ ଲାଗୁ ହୋଇଥିବା ବିଶ୍ବାସ କରାଯାଉଛି। ଅନ୍ୟପଟେ ଏ ସମ୍ପର୍କରେ ଇଣ୍ଡିଆନ ଅଏଲ୍ର ଓଡ଼ିଶା ସିଜିଏମ୍ କମଲ ଶୀଲ କହିଛନ୍ତି ଯେ ତେଲ ବିକ୍ରି ଉପରେ କୌଣସି କଟକଣା ନାହିଁ। କେବଳ ମହଜୁଦକାରୀଙ୍କ ଉପରେ ଲଗାମ କଷିବାକୁ ଏକକାଳୀନ ବିପୁଳ ତେଲ ବିକ୍ରି ଉପରେ କଟକଣା ଲଗାଯାଇଥାଇପାରେ। ତାହା ସମ୍ପୂର୍ଣ୍ଣ ରୂପେ କମ୍ପାନିର ଆଭ୍ୟନ୍ତରୀଣ ବ୍ୟାପାର। ପେଟ୍ରୋଲ ପମ୍ପରୁ ବିପୁଳ ତେଲ ଅନ୍ୟତ୍ର ଚାଲି ନଯାଉ ବା ବାଟମାରଣା ନହେଉ, ତାହାକୁ ନିଶ୍ଚିତ କରିବା ପାଇଁ ଏହି କଟକଣା ଲଗାଯାଇଛି। ଏହା ସହ ସାଧାରଣ ଗ୍ରାହକଙ୍କ କୌଣସି ସମ୍ପର୍କ ନାହିଁ। ରାଜ୍ୟରେ ତେଲ ଯୋଗାଣ ସମ୍ପୂର୍ଣ୍ଣ ସ୍ବାଭାବିକ ରହିଛି। ଉଭୟ ପେଟ୍ରୋଲ ଓ ଡିଜେଲ୍ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥିବା ସେ କହିଛନ୍ତି। କୌଣସି ଗାଡ଼ିର ଟାଙ୍କିରେ ଏକକାଳୀନ ୫୦ ଲିଟର ତେଲ କିମ୍ବା ୫୦୦ ଲିଟର ଡିଜେଲ ପଡ଼ିପାରିବ ନାହିଁ। କେବଳ ଟ୍ୟାଙ୍କର ଜରିଆରେ ଅଧିକ ତେଲ ନେଇ ହେବ। ଟ୍ୟାଙ୍କରରେ ୨୦୦୦ ଲିଟର କିମ୍ବା ୩୦୦୦ ଲିଟର ତେଲ ନେବା ଭଳି ଘଟଣା ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥାଇପାରେ ବୋଲି ସେ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
