ଦେଶରେ ୨୦୨୧ରେ ୪.୧୨ ଲକ୍ଷ ଦୁର୍ଘଟଣାରେ ଯାଇଛି ଦେଢ଼ ଲକ୍ଷରୁ ଉର୍ଦ୍ଧ ଲୋକଙ୍କ ଜୀବନ: କେନ୍ଦ୍ର ସରକାରଙ୍କ ରିପୋର୍ଟ

ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ଭାରତରେ ସଡ଼କ ଦୁର୍ଘଟଣା ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି। କେତେବେଳେ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ତ ଆଉ କତେବେଳେ ସଡ଼କ ଡିଜାଇନରେ ଥିବା ତ୍ରୁଟି, କେତେବେଳେ ମଦ୍ୟପାନ ତ କେତେବେଳେ ଦ୍ରୁତ ଗତି ଦୁର୍ଘଟଣାର କାରଣ ପାଲଟୁଛି। ତେବେ କାରଣ ଯାହା ହେଉ ନା କାହିଁକି ଅକାଳରେ ଅନେକ ଜୀବନ ସଡ଼କ ଦୁର୍ଘଟଣାରେ ଚାଲିଯାଉଥିବା ବେଳେ ‌କିଛି ବ୍ୟକ୍ତି ଗୁରୁତର ଆହତ ହୋଇ ଜୀବନ ସାରା ଅକର୍ମଣ୍ୟ ହୋଇଯାଉଛନ୍ତି।

ଏଭଳି ସ୍ଥିତିରେ ବୁଧବାର ଦିନ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ୨୦୨୧ରେ ଦେଶରେ ମୋଟ୍‌ ୪,୧୨,୪୩୨ ସଡ଼କ ଦୁର୍ଘଟଣା ହୋଇଛି ଏବଂ ଏଥିଯୋଗୁଁ ୧,୫୩,୯୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩,୮୪,୪୪୮ ଜଣ ଆହତ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ଏକ ନୂଆ ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି।

ତେବେ କେନ୍ଦ୍ର ସରକାରଙ୍କ ଏହି ନୂଆ ‘ରୋଡ ଆକ୍ସ‌ିଡେଣ୍ଟ୍‌ସ ଇନ୍‌ ଇଣ୍ଡିଆ-୨୦୨୧’ ରିପୋର୍ଟ ଅନୁଯାୟୀ ୨୦୧୯ ତୁଳନାରେ ୨୦୨୧ରେ ଦେଶରେ ସଡ଼କ ଦୁର୍ଘଟଣା ୮.୧ ପ୍ରତିଶତ କମିଛି ଏବଂ ଦୁର୍ଘଟଣା କମିବା ଯୋଗୁଁ ଆହତଙ୍କ ସଂଖ୍ୟାରେ ମଧ୍ୟ ୧୪.୮ ପ୍ରତିଶତ ହ୍ରାସ ପାଇଛି। ଅନ୍ୟପଟେ ସଡ଼କ ଦୁର୍ଘଟଣା ଯୋଗୁଁ ୨୦୧୯ ତୁଳନାରେ ୨୦୨୧ରେ ମୃତ୍ୟୁ ସଂଖ୍ୟା କିନ୍ତୁ ୧.୯ ପ୍ରତିଶତ ବୃଦ୍ଧି ପାଇଛି। ଏହି ରିପୋର୍ଟ ଅନୁଯାୟୀ ୨୦୨୦ରେ ଦେଶରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ଅପ୍ରତ୍ୟାଶିତ ଭାବେ କମିଥିଲା। କରୋନା ମହାମାରୀ ପାଇଁ ଜାରି ହୋଇଥିବା କଟକଣା ଏବଂ ଲକଡାଉନ୍‌ ପାଇଁ ବିଶେଷ କରି ମାର୍ଚ୍ଚ-ଏପ୍ରିଲ ୨୦୨୦ ମଧ୍ୟରେ ଦୁର୍ଘଟଣା ଖୁବ୍‌ କମ୍‌ ରହିଥିଲା। ତେବେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ପୁଲିସ ବିଭାଗ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି ବୋଲି ଜଣା ପଡିଛି।

Related Posts