ବିଗତ ୧୦ ବର୍ଷ ମଧ୍ୟରେ ସୁପ୍ରିମକୋର୍ଟରେ ପଡି ରହିଛି ୧୦ ହଜାରରୁ ଉର୍ଦ୍ଧ୍ବ ମାମଲା: ଆଇନମନ୍ତ୍ରୀ କିରନ ରିଜିଜୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୁପ୍ରିମକୋର୍ଟରେ ଅଦ୍ୟାବଧି ୭୧ ହଜାରରୁ ଊର୍ଦ୍ଧ୍ୱ ମାମଲା ପଡ଼ିରହିଥିବାବେଳେ ସେଥିମଧ୍ୟରୁ ୧୦ ହଜାରରୁ ଅଧିକ ମାମଲା ଗତ ୧୦ ବର୍ଷ ଧରି ପଡି ରହିଛି। ଏ ନେଇ ଆଇନମନ୍ତ୍ରୀ କିରନ ରିଜିଜୁ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ଏକ ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଅଗଷ୍ଟ ୨ ସୁଦ୍ଧା ସୁପ୍ରିମକୋର୍ଟରେ ୭୧,୪୧୧ ମାମଲା ବିଚାର ହୋଇ ନ ପାରି ପଡ଼ିରହିଛି। ସେଥିମଧ୍ୟରୁ ୫୬ ହଜାରରୁ ଊର୍ଦ୍ଧ୍ୱ ଦଓ୍ବୋନି ଏବଂ ୧୫ ହଜାରରୁ ଊର୍ଦ୍ଧ୍ୱ ଆପରାଧିକ ମାମଲା ରହିଛି। ୧୦ ବର୍ଷ ହେଲା ୧୦,୪୯୧ କେସ୍‌ ସର୍ବୋଚ୍ଚ ଅଦାଲତରେ ବିଚାରାଧୀନ ଅଛି।

୫ ବର୍ଷରୁ କମ୍‌ ସମୟର ମାମଲା ପ୍ରାୟ ୪୨ ହଜାର ଥିବାବେଳେ ୫ରୁ ୧୦ ବର୍ଷର କେସ୍‌ ସଂଖ୍ୟ ୧୮,୧୩୪ ରହିଛି। ସେହିପରି ୨୦୧୬ରେ ବିଭିନ୍ନ ହାଇକୋର୍ଟରେ ୪୦,୨୮,୫୯୧ ମାମଲା ବିଚାର ହୋଇ ନ ଥିବାବେଳେ ୨୦୨୨ ଜୁଲାଇ ୨୯ ସୁଦ୍ଧା ତାହା ୫୦% ବୃଦ୍ଧି ପାଇ ୫୯,୫୫,୯୦୭ରେ ପହଞ୍ଚିଛି। ଜିଲା ଏବଂ ଅଧୀନସ୍ଥ ଅଦାଲତଗୁଡ଼ିକରେ ମଧ୍ୟ ଏହି ଅବଧିରେ ପଡ଼ିରହିଥିବା ମାମଲା ସଂଖ୍ୟା ୫୦% ବୃଦ୍ଧି ପାଇଛି। ୨୦୧୬ରେ ଦେଶବ୍ୟାପୀ ଅଦାଲତଗୁଡ଼ିକରେ ୨.୮୨ କୋଟି ମାମଲା ବିଚାରାଧୀନ ଥିବାବେଳେ ଚଳିତ ବର୍ଷ ତାହା ୪.୨୪ କୋଟିକୁ ବଢ଼ିଛି ବୋଲି ଆଇନମନ୍ତ୍ରୀ କହିଛନ୍ତି।

Related Posts