ପଦ୍ମପୁର ଉପନିର୍ବାଚନ; ବର୍ଷା ବାରିହାଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛି। ପଦ୍ମପୁରର ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ବରିହାଙ୍କୁ ପ୍ରାର୍ଥୀ କରିଛି ଦଳ। ବିଜୟଙ୍କ ପତ୍ନୀ ତିଳୋତ୍ତମା ବରିହା ଦଳୀୟ ଟିକେଟ ପାଇଁ ଆଶାୟୀ ଥିଲେ ମଧ୍ୟ ଶେଷରେ ଝିଅ ବର୍ଷାଙ୍କ ନାମରେ ଦଳର ସଭାପତି ନବୀନ ପଟ୍ଟନାୟକ ମୋହର ମାରିଛନ୍ତି।

ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ନିଜ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବିଜେପିରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି ।

ତେବେ ପଦ୍ମପୁର ଆସନଟି ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ହାତରେ ରହିଥିଲା। ଏଠାରୁ ବିଧାୟକ ଥିବା ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଏବେ ଏଠାରେ ଉପନିର୍ବାଚନ ଘୋଷଣା ହୋଇଛି। ତେଣୁ ନିଜ ଆସନକୁ ନିଜ ପାଖରେ ରଖିବା ପାଇଁ ଶାସକ ବିଜେଡ଼ି ଏଠାରେ ବିଜୟଙ୍କ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରି ସିମ୍ପାଥି କାର୍ଡ ଖେଳିବାକୁ ଚେଷ୍ଟା କରିଛି। ତେବେ ସଦ୍ୟ ସମାପ୍ତ ଧାମନଗର ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳର ଉପନିର୍ବାଚନ ଜିତିବା ରେକର୍ଡରେ ବ୍ରେକ ଲାଗିଛି। ଦଳକୁ ସେଠାରେ ପରାଜୟର ସ୍ଵାଦ ଚାଖିବାକୁ ପଡ଼ିଛି। ସେ ଆସନକୁ ବିଜେପି ଜିତି ନେଇଥିବା ବେଳେ ଦଳ ଆତ୍ମବିଶ୍ବାସ ସହ ପଦ୍ମପୁର ମଇଦାନକୁ ଓହ୍ଲାଇଛି। ଏହି ଆସନକୁ ପୁଣି ନିଜ ହାତକୁ ନେବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛି ବିଜେପି।

ଅନ୍ୟପଟେ ବିଜେଡି ପାଇଁ ଏଠାରେ ଆହୁରି ମଧ୍ୟ ଅନେକ ଚ୍ୟାଲେଞ୍ଜ ରହିଛି। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ନେଇ ଏବେ ଆନ୍ଦୋଳନ ଚାଲିଥିବା ବେଳେ। ଦାବି ପୂରଣ ନହେଲେ ଭୋଟ ବର୍ଜନ ପାଇଁ ମଧ୍ୟ ଆନ୍ଦୋଳନକାରୀ ମାନେ ଚେତାଇ ଦେଇଛନ୍ତି। ସେମାନଙ୍କୁ ବୁଝାଇବାକୁ ଦଳ ପକ୍ଷରୁ ଉଦ୍ୟମ ହୋଇଥିଲେ ମଧ୍ୟ ଦଳ ସେଠାରେ ବିଫଳ ହୋଇଛି। ସେପଟେ ମଣ୍ଡିରୁ ଧାନ ଉଠିବାରେ ଅନିୟମିତତା ଓ ଧାନର ଉଚିତ୍ ମୂଲ୍ୟ ନ ମିଳିବା ନେଇ ଚାଷୀ ମାନେ ମଧ୍ୟ ସେଠାରେ ଅସନ୍ତୁଷ୍ଟ ଅଛନ୍ତି। ତେବେ ଏତେସବୁ ଚ୍ୟାଲେଞ୍ଜ କୁ ସାମ୍ନା କରି ନିଜ ଆସନକୁ ପୁଣି ନିଜ ଖାତାକୁ ବିଜେଡି ଫେରାଇ ଆଣି ପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

Related Posts