
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ଲାଗି କଂଗ୍ରେସର ତାର ପ୍ରାର୍ଥୀ ଘୋଷଣା କରିଛି। ସତ୍ୟଭୂଷଣ ସାହୁ କଂଗ୍ରେସର ପଦ୍ମପୁର ଉପନିର୍ବାଚନ ଲାଗି ପ୍ରାର୍ଥୀ ହୋଇଛନ୍ତି। ସତ୍ୟଭୂଷଣ ସାହୁଙ୍କ ନାମରେ ମୋହର ମାରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖାଡଗେ।
ସତ୍ୟଭୂଷଣ ସାହୁ କଂଗ୍ରେସର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ। ସେ ପଦ୍ମପୁର ବିଧାନସଭା ଆସନରୁ ୩ ଥର ବିଜୟୀ ହୋଇଥିଲେ। ୧୯୮୦ରେ ସତ୍ୟଭୂଷଣ ସାହୁ କଂଗ୍ରେସ ଟିକେଟ୍ରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୫ରେ ସେ ଦ୍ୱିତୀୟ ଥର ପାଇଁ ଏହି ଆସନରୁ ବିଜୟ ହୋଇଥିଲେ। ତା’ପରେ ସେ ୨୦୦୪ରେ ତୃତୀୟ ଥର ପାଇଁ ଏହି ଆସନରୁ ଜିତିଥିଲେ।
ସୂଚନାଯୋଗ୍ୟ ଯେ, ବିଜେଡି ବିଧାୟକ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ବିଧାନସଭା ଆସନଟି ଖାଲି ପଡ଼ିଛି। ଏଥିପାଇଁ ଏଠାରେ ଉପନିର୍ବାଚନ ଘୋଷଣା ହୋଇଛି।ଆଜି ସକାଳେ ବିଜେପି ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ନିଜ ପ୍ରାର୍ଥୀ ଭାବେ ଘୋଷଣା କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ଏହି ଘୋଷଣା କରାଯାଇଛି। ହେଲେ ଶାସକ ଦଳ ବିଜେଡି ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ।
