ସଂସଦର ଆଗାମୀ ଶୀତ ଅଧିବେଶନରେ ଅଂଶଗ୍ରହଣ କରିବେନାହିଁ ରାହୁଲ ଗାନ୍ଧୀ !

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସଂସଦର ଆଗାମୀ ଶୀତ ଅଧିବେଶନରେ ଅଂଶଗ୍ରହଣ କରିବେ ନାହିଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।ଦଳ ପକ୍ଷରୁ ଜାରି ରହିଥିବା ‘ଭାରତ ଯୋଡ ଯାତ୍ରା’ର ନେତୃତ୍ବ ନେଉଥିବା ରାହୁଲ, ଉକ୍ତ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବେ । ତେଣୁ ସେ ଏବେ ଦିଲ୍ଲୀ ଫେରି ସଂସଦର ଶୀତ ଅଧିବେଶନରେ ଅଂଶଗ୍ରହଣ କରି ନ ପାରନ୍ତି ବୋଲି ଦଳର ବରିଷ୍ଠ ନେତା ତଥା ମହାସଚିବ ଜୟରାମ ରମେଶ ସୂଚନା ଦେଇଛନ୍ତି । ତେବେ ନିକଟରେ ହୋଇଥିବା ଦଳୀୟ ହାଇକମାଣ୍ଡ ନିର୍ବାଚନରେ ମଧ୍ୟ ଦିଲ୍ଲୀ ପରିବର୍ତ୍ତେ କର୍ଣ୍ଣାଟକରେ ଭୋଟ ଦେଇଥିଲେ ରାହୁଲ । ସେତେବେଳେ ଭାରତ ଯୋଡ ଯାତ୍ରା କର୍ଣ୍ଣାଟକରେ ଜାରି ରହିଥିଲା ।

ତେବେ ଆସନ୍ତା ଡିସେମ୍ବର ୭ ରୁ ୨୯ ତାରିଖ ମଧ୍ୟରେ ଚଳିତ ବର୍ଷ ସଂସଦର ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ଅଧିବେଶନରେ ମୋଟ ୧୭ଟି କାର୍ଯ୍ୟ ଦିବସ ରହିଛି । ତେବ ଉପରାଷ୍ଟ୍ରପତି ପରିବର୍ତ୍ତନ ହେବା ପରେ ତଥା ଜଗଦୀପ ଧନଖର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ସଂସଦର ପ୍ରଥମ ଅଧିବେଶନ ।

ତେବେ ଏହି ଅଧିବେଶନ ପୂର୍ବରୁ କଂଗ୍ରେସ ମଧ୍ୟ ଉଚ୍ଚସଦନରେ ତାର ନୂତନ ଫ୍ଲୋର ଲିଡର ନିଯୁକ୍ତ କରିବ । ପୂର୍ବରୁ ରାଜ୍ୟସଭାରେ ଦଳର ଫ୍ଲୋର ଲିଡର ଦାୟିତ୍ବରେ ଥିବା ମଲ୍ଲିକାର୍ଜୁନ ଖଡଗେ ଏବେ ଦଳର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଦଳର ହାଇକମାଣ୍ଡ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ବେଳେ ସେ ଏହି ଫ୍ଲୋର ଲିଡର ପଦରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ଏବେ ‘ଏକ ନେତା ଏକ ପଦ’ ନୀତି କାର୍ଯ୍ୟକାରୀ କରିଥିବା ବେଳେ ଏହି ପଦବୀରେ କୌଣସି ଅନ୍ୟଜଣେ ବରିଷ୍ଠ ନେତାଙ୍କୁ ସ୍ଥାନ ମିଳିବାକୁ ଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୭ ତାରିଖରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ ଏବେ ମହାରାଷ୍ଟ୍ରରେ ପହଞ୍ଚିଛି । ତେବେ ପ୍ରାୟ ୩୫୭୦ କି.ମି ଅତିକ୍ରମ କରି ଏହା ଆସନ୍ତା ବର୍ଷ ପ୍ରାରମ୍ଭରେ କାଶ୍ମୀରରେ ଶେଷ ହେବାକୁ ଯାଉଛି । ତେବେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ଦଳର ଏହି ବହୁ ପ୍ରତିକ୍ଷୀତ ଯାତ୍ରାର ନେତୃତ୍ବ ରାହୁଲ ଗାନ୍ଧୀ ନେଉଛନ୍ତି । ଏହି ଯାତ୍ରା ବର୍ତ୍ତମାନ ମୋଟ ନର୍ଦ୍ଧାରିତ ଦୂରତାର ଅବଶିଷ୍ଟ ୨୩୫୫ କିମି ଅତିକ୍ରମ କରିବାକୁ ବାକି ରହିଛି ।

Related Posts