ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଶେଷ ଦିନରେ ଭୋଟରଙ୍କ ମନ ଜିଣିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ ସବୁ ଦଳ । ଆଜି ବି ଷ୍ଟାର ପ୍ରଚାରକ ମାନେ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ସାଧାରଣ ସଭା ଓ ରୋଡ୍ ଶୋ କରିବେ। ଜଗଦଲପୁରରେ ନିର୍ବାଚନୀ ସଭାରେ ସମ୍ବୋଧନ କରି ଭୋଟ୍ ମାଗିବେ। ସେହିପରି କଂଗ୍ରେସ ଓ ବିଜେଡି ବି ନିଜ ପ୍ରାର୍ଥୀଙ୍କ ପାଇଁ ଜୋରଦାର କ୍ୟାମ୍ପେନିଂ କରିବେ ।

ତେବେ ଗତକାଲି ପଦ୍ମପୁରରେ ଦେଖିବାକୁ ମିଳିଥିଲା ହାଇଭୋଲଟେଜ୍ ପ୍ରଚାର। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରର ମଙ୍ଗ ଧରିଥିବା ବେଳେ, ବିଜେପି ପକ୍ଷରୁ ପ୍ରଚାର କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଉଭୟ ଦଳ ପରସ୍ପରକୁ ଶାଣିତ ଆକ୍ରମଣ କରିଥିବା ବେଳେ ଆଜି ବି ସମାନ ସ୍ଥିତି ଦେଖିବାକୁ ମିଳିପାରେ। ତେବେ ଶେଷରେ ଇଭିଏମ ଖୋଲିଲେ ହିଁ ଜଣା ପଡ଼ିବ କେଉଁ ଦଳ ଭୋଟରଙ୍କ କେତେ ବିଶ୍ଵାସଭାଜନ ହୋଇପାରିଛନ୍ତି।

ସୂଚନାଯୋଗ୍ୟ ଯେ, ଆସନ୍ତା ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଚାଲିବ । ପଦ୍ମପୁରରେ ମୋଟ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ରହିଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୨୯ ହଜାର ୪୯୭ । ସେହିପରି ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୬୫ ରହିଛି । ୭୪ ବୁଥ ମାଓ ପ୍ରଭାବିତ ଅଞ୍ଚଳରେ ଏବଂ ୭୮ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଭୋଟ ପାଇଁ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସମେତ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ୫୦ ପ୍ରତିଶତ ବୁଥରେ ହେବ ୱେବ କାଷ୍ଟିଂ ।