
ନୂଆଦିଲ୍ଲୀ: ପୁଣି ଥରେ ଭାରତ ଆକାଶରେ ଉଡିଲା ପାକିସ୍ତାନୀ ଡ୍ରୋନ୍ । ପଞ୍ଜାବ ଗୁରୁଦାସପୁର ସେକ୍ଟର ଅନ୍ତର୍ଜାତୀୟ ସୀମାରେ ପାକ୍ ଡ୍ରୋନ ଉଡୁଥିବା ନେଇ ସୂଚନା ମିଳିଛି । ଆଜି (ସୋମବାର) ସକାଳ ପ୍ରାୟ 5ଟାରେ ଡ୍ରୋନଟିକୁ ଠାବ କରାଯାଇଥିଲା । ବିଏସଏଫ ଜବାନ ଏହା ଉପରକୁ ଗୁଳି ଚଳାଇଥିଲେ । ଏହା ପରେ ଡ୍ରୋନଟି ପାକିସ୍ତାନ ଫେରି ଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ବିଏସଏଫ ପକ୍ଷରୁ ଏକ ବିବୃତ୍ତି ଜରିଆରେ ଏହି ସୂଚନା ଦିଆଯାଇଛି ।
ବିଏସଏଫ ରୋଜା ପୋଷ୍ଟ ବିଓପି 89 ବାଟାଲିୟନ ଅଞ୍ଚଳରେ ଡ୍ରୋନଟି ଉଡୁଥିବା ଦେଖିବାକୁ ମିଳିଥିଲା । ଏହାପରେ ବିଏସଏଫ ଯବାନ ଡ୍ରୋନ ଉପରକୁ ଅନେକ ରାଉଣ୍ଡ ଗୁଳି ଚଲାଇଥିଲେ । ଯବାନଙ୍କ ଗୁଳି ଚାଳନାରେ ଡ୍ରୋନଟି ପାକିସ୍ତାନ ଆଡକୁ ଚାଲିଯାଇଥିଲା । ଏହାପରେ ବିଏସଏଫ ଓ ପୋଲିସଙ୍କ ମିଳିତ ଅପରେସନ ଜାରି ରହିଛି । ଭାରତ ଆକାଶରେ ପାକ୍ ଡ୍ରୋନ ଠାବ ହେବା ପ୍ରଥମ ଘଟଣା ନୁହେଁ ବାରମ୍ବାର ଏହିପରି କାଣ୍ଡ କରୁଛି ପାକିସ୍ତାନ ।
ଶେଷଥର ପାଇଁ ଜୁଲାଇ 23ରେ ଜମ୍ମୁ ଅଖନୂର ସେକ୍ଟରରେ ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଥିଲା । ସୀମା ସୁରକ୍ଷା ବଳ(BSF) ଯବାନ ଏହା ଉପରେ ଗୁଳିମାଡ କରିଥିଲେ ।ଏହା ପୂର୍ବରୁ ମଇ 29ରେ ଜମ୍ମୁ କଶ୍ମୀର କାଠୁଆ ଜିଲ୍ଲାରେ ଭାରତ ସୀମାରେ ପଶିଥିବା ପେଲୋଡ ଲାଗିଥିବା ଡ୍ରୋନକୁ ଗୁଳି କରି ଖସାଇଥିଲା ପୋଲିସ । ପାକର ଏକ ବଡ ଧରଣର ଯୋଜନା ପଣ୍ଡ ହୋଇଥିଲା । ଏପ୍ରିଲ 29ରେ ପଞ୍ଜାବର ତରନତାରନର ବିଓପି ବାବା ପିର ଅଞ୍ଚଳରେ ପାକ୍ ଡ୍ରୋନ ଠାବ ହୋଇଥିଲା ।