ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନର ସବୁଠାରୁ ଜନବହୁଳ ରାଜ୍ୟ ତଥା ରାଜନୈତିକ ଦୃଷ୍ଟିକୋଣରୁ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ରାଜ୍ୟ ପଞ୍ଜାବର ୨୦ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥି ମଧ୍ୟରୁ ୧୫ଟିରେ ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ୍ (ପିଟିଆଇ) ବିଜୟ ହାସଲ କରିଛି । ଏହା ସହ ପଂଜାବ ବିଧାନସଭାରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି ପିଟିଆଇ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପଞ୍ଜାବ ପାକିସ୍ତାନରେ ଶାସନ କରୁଥିବା ପାକିସ୍ତାନ ମୁସଲିମ ଲିଗ-(ଏନ)ର ଦୁର୍ଗଭାବେ ଜଣାଶୁଣା ।
ଏହି ବିଜୟ ହାସଲ ପରେ ଇମ୍ରାନ ଖାଁ ସମଗ୍ର ଦେଶରେ ତୁରନ୍ତ ସାଧାରଣ ନିର୍ବାଚନ କରିବାକୁ ଦାବି କରିଛନ୍ତି । ସେପଟେ ପଞ୍ଜାବ ନିର୍ବାଚନର ଫଳାଫଳ ସମଗ୍ର ପାକିସ୍ତାନର ରାଜନୀତିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ଗତ ଏପ୍ରିଲ ମାସରେ ଅନାସ୍ଥା ପ୍ରସ୍ତାବରେ ହାରି ଇମ୍ରାନ ଖାଁ ସରକାରଙ୍କ ପତନ ହୋଇଥିଲା । ସେହିଦିନଠାରୁ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
