ଇଂଲଣ୍ଡଠାରୁ ଟେଷ୍ଟ ସିରିଜ ହାରିଲା ପାକିସ୍ତାନ, ଟିମ ଇଣ୍ଡିଆ ପାଇଁ ସୃଷ୍ଟିହେଲା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବାର ସୁଯୋଗ

ଭୁବନେଶ୍ୱର,୧୨/୧୨ (ସତ୍ୟପାଠ ବ୍ୟୁରୋ): ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ପାକିସ୍ତାନର ପରାଜୟ, ଟିମ୍ ଇଣ୍ଡିଆ ପାଇଁ ସୃଷ୍ଟି କଲା ନୂଆ ସୁଯୋଗ । ଆଜି ମୁଲତାନ ଟେଷ୍ଟରେ ଇଂଲଣ୍ଡ ପାଖରୁ ମ୍ୟାଚ୍ ହାରିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଦୁଇ ମ୍ୟାଚ ଜିତି ସିରିଜ ହାତେଇ ନେଇଛି ଇଂଲଣ୍ଡ, ଏହାପରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଦୌଡରୁ ଏକପ୍ରକାର ବାଦ୍ ପଡିଛି ପାକିସ୍ତାନ । ତେବେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଫାଇନାଲ ଦୌଡରୁ ବାଦ୍ ପଡିବା ପରେ ଏହା ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଟିମ୍ ଇଣ୍ଡିଆ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ।

ଟିମ୍ ଇଣ୍ଡିଆର ଦୃଷ୍ଟିରୁ ଦେଖିଲେ, ପାକିସ୍ତାନର ପରାଜୟ ଭାରତ ପାଇଁ ଖୁସି ଆଣିଛି । ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟପରେ ଡିସେମ୍ବରରେ ପାକିସ୍ତାନ ନ୍ୟୁଜିଲାଣ୍ଡ ସହ ଟେଷ୍ଟ ସିରିଜ୍ ଖେଳିବ । ହେଲେ ଏହି ଦୁଇଟି ଟେଷ୍ଟ ମ୍ୟାଚ୍ ବିଶ୍ୱ ଚାମ୍ପିୟନସିପ୍ ଉପରେ ସେତେଟା ପ୍ରଭାବ ପକାଇବ ନାହିଁ । ଅନ୍ୟପଟେ ଭାରତ ଯଦି ନିଜର ପରବର୍ତ୍ତୀ ଦୁଇଟି ଟେଷ୍ଟ ସିରିଜରେ ବିଜୟ ହାସଲ କରେ, ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍ ଖେଳିବାର ସୁଯୋଗ ହାତେଇବ ।

ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ଟେବୁଲରେ ନଜର ପକାଇଲେ ଏବେ ତାଲିକାରେ ସବୁଠୁ ଆଗରେ ରହିଛି ଅଷ୍ଟ୍ରେଲିଆ । ମୋଟ ୭୫ ପ୍ରତିଶତ ବିଜୟ ସହ ଦଳ ଏକ ନମ୍ବର ସ୍ଥାନରେ ରହିଛି । ଏହା ପଛକୁ ୬୦ ପ୍ରତିଶତ ବିଜୟ ସହ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଓ ୫୩.୩୩ ପ୍ରତିଶତ ବିଜୟ ସହ ଶ୍ରୀଲଙ୍କା ତୃତୀୟ ସ୍ଥାନରେ ରହିଛି । ସେହିପରି ଟିମ ଇଣ୍ଡିଆ ବର୍ତ୍ତମାନ ଏହି ତାଲିକାର ଚତୁର୍ଥ ସ୍ଥାନରେ ରହି ଥିବାବେଳେ, ଦଳ ୫୨.୦୮ ପ୍ରତିଶତ ବିଜୟ ହାସଲ କରିଛି । ଏହା ପଛକୁ ଇଂଲଣ୍ଡ ଓ ପାକିସ୍ତାନ ରହିଛନ୍ତି ।

ତେବେ ବୁଧବାର ଠାରୁ ଆରମ୍ଭ ହେଉଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ଯଦି ଦୁଇଟି ଯାକ ଟେଷ୍ଟ ସିରିଜ୍ ଜିତିଯାଏ ଏବଂ ନୂଆ ବର୍ଷ ଆରମ୍ଭରୁ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଯଦି ଭାରତ ବିଜୟ ହାସଲ କରେ । ତେବେ ଯାଇ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବାକୁ ସୁଯୋଗ ପାଇପାରେ । ତେବେ ଖାଲି ସେତିକି ନୁହେଁ, ଅନ୍ୟ ଦଳର ପ୍ରଦର୍ଶନ ଉପରେ ମଧ୍ୟ ଟିମ୍ ଇଣ୍ଡିଆର ଭାଗ୍ୟ ନିର୍ଭର କରିବ ।

Related Posts