ମୁମ୍ବାଇ: ପୁଣେରେ PFI ର ଆନ୍ଦୋଳନବେଳେ ଶୁଣିବାକୁ ମିଳିଛି ‘ପାକିସ୍ତାନ ଜିନ୍ଦାବାଦ’ ନାରା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡିକ ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅଭିଯୋଗରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଶୁକ୍ରବାର PFI ପକ୍ଷରୁ ଏକ ଆନ୍ଦୋଳନ କରାଯାଇଥିଲା।

ପୁଣେରେ PFI ଆନ୍ଦୋଳନ ବେଳେ ପାକିସ୍ତାନ ଜିନ୍ଦାବାଦ ନାରାଏଥିରେ ଶତାଧିକ PFI କର୍ମୀ ସାମିଲ ହୋଇଥିଲେ । ବର୍ତ୍ତମାନ ଜାରି ରହିଥିବା CBI, ଇଡି ଓ ଏନଆଇଏ କାର୍ଯ୍ୟାନୁଷ୍ଠାନକୁ ଉଦ୍ଦେଶ୍ୟମୂଳକ ଦର୍ଶାଇ ନାରାବାଜି କରିବା ସହ ଆନ୍ଦୋଳନ ମଧ୍ୟ କରିଥିଲେ । ପରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଥାନାକୁ ଉଠାଇ ନେଇଥିଲା । ଥାନାକୁ ଉଠାଇ ନେବା ବେଳେ ପିଏଫଆଇ କର୍ମୀ ଆହ୍ଲା-ହୁ-ଅକବର ନାରା ସହ ପାକିସ୍ତାନ ଜିନ୍ଦାବାଦ ନାରା ମଧ୍ୟ ଦେଇଥିବା ଶୁଣିବାକୁ ମିଳିଥିଲା ।ତେବେ ପ୍ରବଳ ଭିଡ ଭିତର ପାକିସ୍ତାନ ଜିନ୍ଦାବାଦ ନାରା ସ୍ପଷ୍ଟ ଶୁଣାଯାଉ ନଥିବାବେଳେ ସେଠାରେ ଥିବା ଗଣମାଧ୍ୟମ ପ୍ରତିନିଧି ପାକିସ୍ତାନ ଜିନ୍ଦାବାଦ ନାରା ଲାଗିଥିବା ନେଇ ସ୍ପଷ୍ଟ କରିଛନ୍ତି । ଘଟଣା ପରେ ପୋଲିସ ଆକ୍ସନମୋଡକୁ ଆସିଛି ।

ରିଆଜ ସଏଦ ନାମକ ଜଣେ ଯୁବକ ଏହି ଆନ୍ଦୋଳନର ନେତୃତ୍ବ ନେଉଥିବା ଦେଖିବାକୁ ମିଳିଥିଲା । ମୁଖ୍ୟ ଅଭିଯୁକ୍ତ ସଏଦ ସହିତ ମୋଟ ୭୦ରୁ ଉର୍ଦ୍ଧ୍ବ ପିଏଫଆଇ ସଦସ୍ୟଙ୍କ ନାମରେ ମାମଲା ରୁଜୁ କରିଛି ପୁଣେ ପୋଲିସ ।