
ଚଣ୍ଡିଗଡ:ପରିବେଶ ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ କରିବା ନେଇ ପଞ୍ଜାବ ସରକାରଙ୍କ ଉପରେ ପଡ଼ିଲା ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ଜୋରିମାନା । ଏକାଧିକ ପର୍ଯ୍ୟାବରଣ ସମ୍ପର୍କିତ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ 2,080 କୋଟି ଟଙ୍କା ଗଣିବେ ପଞ୍ଜାବ ସରକାର । ରାଜ୍ୟରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପଞ୍ଜାବ ସରକାର କିଛି କାର୍ଯ୍ୟପନ୍ଥା ଗ୍ରହଣ କରୁନଥିବାରୁ ଟ୍ରିବ୍ୟୁନାଲ ଏହି ଫାଇନ ଜାରି କରିଥିବା ସୂଚନା ମିଳିଛି ।
2018 ରୁ ରାଜ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକ୍ରିୟା ନିରୀକ୍ଷଣ କରୁଥିଲା ଟ୍ରିବ୍ୟୁନାଲ ଟିମ । ପରିଚାଳନାରେ ତ୍ରୁଟି ଓ ସରକାରଙ୍କ ଦାୟିତ୍ବହୀନତା ସାମ୍ନାକୁ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ମଧ୍ୟ କ୍ଷତିପୂରଣ ପ୍ରଦାନ ନେଇ ନିର୍ଦ୍ଦେଶ ପାଇଛନ୍ତି । ବର୍ଜ୍ୟବସ୍ତୁ ପରିଚାଳନାରେ ସଠିକ ଭାବେ କାର୍ଯ୍ୟପନ୍ଥା ଗ୍ରହଣ କରିନଥିବା କାରଣ ପାଇଁ ରାଜସ୍ଥାନକୁ 3 ହଜାର କୋଟି, ମହାରାଷ୍ଟ୍ରକୁ 12 ହଜାର କୋଟି ଓ ପଶ୍ଚିମବଙ୍ଗକୁ 3 ହଜାର 5 ଶହ କୋଟି ଟଙ୍କାର ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଥିଲେ ଟ୍ରିବ୍ୟୁନାଲ । ପଞ୍ଜାବର ବର୍ଜ୍ୟବସ୍ତୁ ପରିଚାଳନା ପ୍ରକ୍ରିୟାକୁ ଅନୁସରଣ କରୁଥିବା ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ 22 ତାରିଖରେ ପଞ୍ଜାବକୁ ମଧ୍ୟ ଜୋରିମାନା ଘୋଷଣା କରିଛନ୍ତି ।ଏନଜିଟି ଆହୁରି ମଧ୍ୟ କହିଛି ଯେ, ଏହି ବର୍ଜ୍ୟବସ୍ତୁ ପରିଚାଳନା ନିୟମରେ ଖିଲାପକାରୀଙ୍କ ବିରୋଧରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । କାର୍ଯ୍ୟରେ ଦାୟିତ୍ବହୀନତା ପ୍ରଦର୍ଶନ କରିଥିବା ସମ୍ପୃକ୍ତ ନିଗମ ଓ ପୌର କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏମିତିକି ପାଇଁ କୌଣସି ପରଫରମାନ୍ସ ଅଡିଟ ମଧ୍ୟ ହୋଇନାହିଁ । ଏହି ଫାଇନ ଜାରି କରିବା ପୂର୍ବରୁ ପଞ୍ଜାବ ମୁଖ୍ୟ ଶାସନକୁ ମଧ୍ୟ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲା ଟ୍ରିବ୍ୟୁନାଲ । ସନ୍ତୋଷଜନକ ଉତ୍ତର ନମିଳିବା କାରଣରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଟ୍ରିବ୍ୟୁନାଲ ।
ଏହି ଜୋରିମାନା ରାଶି 2 ମାସ ମଧ୍ୟରେ ଦାଖଲ କରିବେ ପଞ୍ଜାବ ସରକାର । ଏଥି ସହିତ ପଞ୍ଜାବ ସରକାରଙ୍କୁ ପ୍ରକ୍ରିୟା ଅନୁସାରେ କାର୍ଯ୍ୟପନ୍ଥା ସ୍ଥିର କରିବା ଓ ଜିଲ୍ଲା ମାଜିଷ୍ଟ୍ରେଟ ସ୍ତରୀୟ ଅଧିକାରୀଙ୍କ ଦ୍ବାରା ଏହି ପ୍ରକ୍ରିୟାର ନିରୀକ୍ଷଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି ଟ୍ରିବ୍ୟୁନାଲ । 2019ରେ ଟ୍ରିବ୍ୟୁନାଲ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚବଙ୍କୁ ଚିଠି ଲେଖିବା ସହ ପରିବେଶ ସୁରକ୍ଷା ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଥିବା ନିୟମ ଅନୁସାରେ ପ୍ରଭାବୀ କାର୍ଯ୍ୟକାରୀ ପଲିସି ନିର୍ଦ୍ଧାରଣ କରିବା ପାଇଁ ମଧ୍ୟ କହିଥିଲେ । କିଛି ରାଜ୍ୟର ପ୍ରଦର୍ଶନ ଅତି ନିମ୍ନମାନର ହୋଇଥିବା ଯୋଗୁ ସେମାନଙ୍କୁ ଫାଇନ ଲଗାଇଛି ଜାତୀୟ ସବୁଜ ଅଧିକରଣ NGT ।