ସରିଲା ପଞ୍ଚାୟତ ନିର୍ବାଚନ; ହେଲେ ପରାଜୟ ପରେ ଗାଁ ଗାଁରେ ଚାଲିଛି ଟଙ୍କା ଅସୁଲି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ହେଲେ ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ନିଜର ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର କରିବାରେ ଲାଗିଥିଲେ । ଏପରିକି ଗାଁଗୁଡ଼ିକରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଥିଲା କ୍ରିକେଟ ଫୁଟବଲ ପ୍ରତିଯୋଗିତା। ସରପଞ୍ଚ ଓ ସମିତି ସଭ୍ୟ ପଦବିରେ ଛିଡ଼ା ହୋଇଥିବା ନେତା ଅତିଥି ଭାବେ ଯାଇ ଭୋଟ ପାଇଁ ଦେଉଥିଲେ ପୁରସ୍କାର ରାଶି। ଏହା ମଧ୍ୟରେ କ୍ରିକେଟ କମିଟିକୁ ଭୋଟ ପୂର୍ବରୁ ଦେଇଥିବା ଟଙ୍କା ମାଗି ଜଣେ ହାରିଥିବା ସରପଞ୍ଚ ପ୍ରାର୍ଥୀଙ୍କ ସ୍ବାମୀ ହଟହଟା ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ ଉପରଝର ପଞ୍ଚାୟତରେ । ଏହି ପଞ୍ଚାୟତର ପୂର୍ବ ସରପଞ୍ଚ ରାଜୀବ ପଟେଲଙ୍କ ସ୍ତ୍ରୀ କମଳିନୀ ପଟେଲ ଏଥର ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ। ସେ ନୂଆଁପାଲି ଗାଁର ଯଶୋବନ୍ତୀ ନାଏକଙ୍କ ଠାରୁ ମାତ୍ର ୧୬ଟି ଭୋଟରେ ପରାସ୍ତ ହୋଇଥିଲେ। ଭୋଟ ପୂର୍ବରୁ ଅତିଥି ଭାବେ ଡାକିଥିବା ନୂଆଁପାଲି କ୍ରିକେଟ ପ୍ରତିଯୋଗିତାକୁ ଯାଇ ୫ହଜାର ଟଙ୍କା ଦେଇଥିଲେ।

କମିଟିର କର୍ମକର୍ତ୍ତାମାନେ ଚୁକ୍ତି କରିଥିଲେ ଯେ ତାଙ୍କ ଭୋଟ ରାଜୀବ ପଟେଲଙ୍କ ସ୍ତ୍ରୀ ତଥା ଉପରଝର ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ଶ୍ରୀମତୀ ପଟେଲଙ୍କୁ ଦେବେ। ହେଲେ ନିର୍ବାଚନରେ ପରାସ୍ତ ହେବା ପରେ କ୍ରିକେଟ କମିଟିର ସଭ୍ୟମାନେ ତାଙ୍କ ସ୍ତ୍ରୀଙ୍କୁ ଭୋଟ ଦେଇନାହାନ୍ତି ବୋଲି କହି ସେମାନଙ୍କ ପାଖକୁ ଯାଇ ଦେଇଥିବା ଟଙ୍କା ମାଗୁଛନ୍ତି ରାଜୀବ ପଟେଲ। ଫଳରେ କ୍ରିକେଟ କମିଟିର ସଦସ୍ୟମାନେ ୫ହଜାର ବଦଳରେ ୫ହଜାର ୧ଶହ ଟଙ୍କା ଫେରାଇଥିବା ଜଣାପଡ଼ିଛି। ଏନେଇ ପୂର୍ବ ସରପଞ୍ଚ ଶ୍ରୀ ପଟେଲ କହିଥିଲେ ଯେ ନୂଆଁପାଲି ଗାଁର ଯୁବକମାନେ ତାଙ୍କ ପାଖକୁ ଆସି ଶ୍ରୀମତୀ ପଟେଲଙ୍କୁ ନିର୍ବାଚନ ବେଳେ ସାହାଯ୍ୟ କରିବେ କହି ୫ହଜାର ଟଙ୍କା ମାଗି ନେଇଥିଲେ। କିନ୍ତୁ ସେ ତାଙ୍କ ଗାଁ ପଟକୁ କୌଣସି କାମରେ ଯିବାରୁ ସେମାନେ ତାଙ୍କୁ ଟଙ୍କା ଫେରାଇଦେଇ ଭିଡ଼ିଓ ଭାଇରାଲ କରିଛନ୍ତି ବୋଲି କହିଛନ୍ତି। ଏ ନେଇ କ୍ରିକେଟ କମିଟିର କର୍ମକର୍ତ୍ତାମାନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା ବୋଲି କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts