
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ତେବେ ଚଳିତଥର ନିର୍ବାଚନରେ ଶାସକ ବିଜେଡି ଐତିହାସିକ ବିଜୟ ପାଇଛି । ହେଲେ ଓଡ଼ିଶା ପଞ୍ଚାୟତ ନିର୍ବାଚନରେ ବି ଆନ୍ଧ୍ର ଦଖଲ ଦେଖିବାକୁ ମିଳିଛି। ଓଡ଼ିଶା ସୀମାନ୍ତ ଗଜପତି ଜିଲ୍ଲାର ଗଙ୍ଗବାଡ଼ ପଞ୍ଚାୟତରେ ଆନ୍ଧ୍ର ନେତାଙ୍କ ସମର୍ଥିତ ପ୍ରାର୍ଥୀ ହାରିଯିବାରୁ ଦୁଇ ଦିନ ହେଲା ହିଂସା, ରାସ୍ତାରୋକ କରାଇ ଅରାଜକତା ସୃଷ୍ଟି କରି ଚାଲିଛନ୍ତି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ର ଗାରାବନ୍ଧ ଥାନା ଅଧୀନ ଗଙ୍ଗାବାଡ ପଞ୍ଚାୟତରେ ଗତକାଲି ଠାରୁ ନିର୍ବାଚନ ପରବର୍ତ୍ତୀ ଆକ୍ରୋଶ, ହିଂସାକୁ ଉସ୍କାଇବା ଭଳି ଘଟଣା ଯୋଗୁଁ ଉତ୍ତେଜନା ଲାଗି ରହିଛି।
ନିର୍ବାଚନ ହାରିଯିବାରୁ ରାଗରେ ପରାଜିତ ସରପଞ୍ଚ ପ୍ରାର୍ଥୀ ବାରିକ ଶବର ଓ ତାଙ୍କ ସମର୍ଥକ ଆନ୍ଧ୍ର ନେତାଙ୍କ ଇସାରାରେ ପଞ୍ଚାୟତର ୫ଟି ଗାଁକୁ ସଂଯୋଗ ରାସ୍ତାକୁ ଖୋଳିଦେବା ସହ ପଥର ପକାଇ ଅବରୋଧ କରି ରଖିଛନ୍ତି। ଯାହାକୁ ନେଇ ଦୁଇଦିନ ହେଲା ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ତେବେ ଏହାକୁ ନେଇ ଗଜପତି ଜିଲ୍ଲା ପ୍ରଶାସନ ଆଡୁ କୌଣସି କାର୍ୟ୍ୟାନୁଷ୍ଠାନ ହୋଇ ନଥିବା ଜଣାପଡ଼ିଛି। ଏନେଇ ଗତକାଲି ଗଙ୍ଗାବାଡ଼ ନବନିର୍ବାଚିତ ସରପଞ୍ଚ ହରିବନ୍ଧୁ କାର୍ୟୀ ଥାନାରେ ଏତଲା ଦେଇଥିବାର ସୂଚନା ମିଳିଛି ।