(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ସତ୍ୟପାଠ ନ୍ୟୁଜ୍ର ପ୍ରଭାବ । 2000 ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଭି. କାର୍ତ୍ତିକେଆନ ପାଣ୍ଡିଆନ ପ୍ରକୃତରେ 5-ଟି ସଚିବ ନୁହନ୍ତି । ଏହି ସୂଚନା ଏବେ ଅଫିସିଆଲ ।
ଖୋଦ ରାଜ୍ୟ ସରକାର ନିଜେ ସ୍ବୀକାର କରିବା ସହ ପାଣ୍ଡିଆନ ଯେ 5-ଟିର ସଚିବ ନୁହନ୍ତି ଏହାର ଲିଖିତ ଜବାବ ମଧ୍ୟ ଦେଇଛନ୍ତି । ଗତ ଜୁଲାଇ 29 ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ପାଣ୍ଡିଆନଙ୍କୁ 5-ଟିର ଦାୟିତ୍ବ ଦିଆଗଲା ବୋଲି ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହା ପରେ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଉଥିବା ବିଭିନ୍ନ ପ୍ରେସ୍ ରିଲିଜ୍ରେ ପାଣ୍ଡିଆନ 5-ଟି ସଚିବ ବୋଲି ବିଧିବଦ୍ଧ ସରକାରୀ ଭାବରେ ସୂଚନା ଦିଆଯାଇଥିଲା । ସେବେଠାରୁ ସରକାର, ବେସରକାର, ଏବଂ ପାଣ୍ଡିଆନଙ୍କ ସରକାରୀ ସାଙ୍ଗିଆକୁ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବଠୁ ବଦଳି କରିଦିଆଯାଇ 5-ଟି ସଚିବ ଭାବେ ପରିଚୟ ଦିଆଗଲା ଓ ଚାରିଆଡ଼େ ସେହି ସମ୍ବୋଧନ ଏଯାଏ ଚାଲିଛି । ଆହାର କେନ୍ଦ୍ରରେ ଖାଇବାଠାରୁ ପାହାନ୍ତିଆରେ ଟ୍ରାକ୍ ସୁଟ ପିନ୍ଧିବା ଆଉ ରାତିରେ ହୁଡ଼ି ଜ୍ୟାକେଟ୍ ପିନ୍ଧିବା ଯାଏ ସମସ୍ତ ଘଟଣାର ପ୍ରେସ୍ ରିଲିଜ୍ ଓ ଫଟୋ କ୍ୟାପ୍ସନରେ ପାଣ୍ଡିଆନଙ୍କୁ କେବଳ 5-ଟି ସଚିବ ଭାବେ ସମ୍ବୋଧନ ଚାଲିଛି । କିନ୍ତୁ ବାସ୍ତବ ଦପ୍ତରିକ୍ ପ୍ରୋଟୋକଲ ଅନୁଯାୟୀ ପାଣ୍ଡିଆନ ବାବୁ 5-ଟିର ସଚିବ ନୁହନ୍ତି ।
ଏହାର ସରକାରୀ ସୂଚନା ଲାଗିଛି ସତ୍ୟପାଠ ହାତରେ । ପାଣ୍ଡିଆନଙ୍କୁ 5-ଟି ସଚିବ ଦାୟିତ୍ବ ନିଷ୍ପତ୍ତି ଯେ ତ୍ରୁଟିପୂର୍ଣ୍ଣ ଏବଂ ସରକାରୀ ନିତୀ ନିୟମ ଦୃଷ୍ଟିରୁ ଯେ ଅବୈଧ, ଏହାର ଖବର ଅକ୍ଟୋବର 18ରେ ସତ୍ୟପାଠରେ ପ୍ରକାଶ କରାଯାଇଥିଲା । ରୁଲ୍ସ ଅଫ ବିଜ୍ନେସର ଆର୍ଟିକିଲ 166 ଅନୁଯାୟୀ ବିଭାଗ ନଥାଇ ସଚିବ ପଦ ସୃଷ୍ଟି କରାଯାଇପାରିବ ନାହିଁ । 5-ଟି ବାବଦରେ ସରକାର ଏକ ସ୍ବତନ୍ତ୍ର ବିଭାଗ କରି ନାହାନ୍ତି ତେଣୁ ସରକାର ତାଙ୍କୁ 5-ଟି ସଚିବ କହିବା ଏବଂ ଗଣମାଧ୍ୟମରେ ଚିତ୍ରିତ କରିପାରିବେ ନାହିଁ । ତେଣୁ ପାଣ୍ଡିଆନ 5-ଟି ସଚିବ ହୋଇପାରିବେ ନାହିଁ । ଏ ନୀତି ନିୟମ ସରକାରଙ୍କୁ ଜଣା । ଆଉ ବିଶେଷ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଅବସ୍ଥାପିତ ତାଙ୍କର ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ସୁକାନ୍ତ ପଣ୍ଡା ଏହି ଆଇନ ସମ୍ପର୍କରେ ଯଥେଷ୍ଟ ଅବଗତ । ଏହା ସତ୍ତ୍ବେ ବାବୁ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗଣମାଧ୍ୟମକୁ ପଠାଯାଉଥିବା ଅଫିସିଆଲ ପ୍ରେସ୍ ରିଲିଜ୍ରେ ପାଣ୍ଡଇଆନଙ୍କୁ 5-ଟି ସଚିବ ଭାବରେ ସମ୍ବୋଧିତ କରି ଖବର ପଠାଉଛନ୍ତି । ତେଣୁ ଗଣମାଧ୍ୟମ ଭ୍ରମରେ ପଡ଼ିବା ସ୍ବାଭାବିକ, ପରିଣାମ ପାଣ୍ଡିଆନଙ୍କୁ ସର୍ବତ୍ର 5-ଟି ସଚିବ ଭାବରେ ସମ୍ବୋଧନ କରାଯାଉଛି ।
ଏ ସମ୍ପର୍କରେ ସୂଚନା ଅଧିକାର ଆଇନରେ ନିର୍ଦ୍ଦିଷ୍ଟ ଭାବେ ସରକାରଙ୍କୁ ତଥ୍ୟ ମଗାଯାଇଥିଲା ଯେ ପାଣ୍ଡିଆନ 5-ଟି ସଚିବ ନିଯୁକ୍ତିର ସରକାରୀ ବିଜ୍ଞାପନ ବା ନକଲ, ତାଙ୍କ କାର୍ଯ୍ୟାଳୟ ଓ ଯୋଗାଯୋଗର ଠିକଣା । ତଥ୍ୟ ଦେବା ନେଇ ବେସ୍ କିଛି ଦିନ ଘୁରାଇଲା ପରେ ଶେଷରେ ସରକାର ସ୍ବୀକାର କଲେ ଯେ ପାଣ୍ଡିଆନ 5-ଟି ସଚିବ ନୁହନ୍ତି । ଏଠି ପ୍ରଶ୍ନ ଉଠୁଛି ଯଦି ସେ 5-ଟି ସଚିବ ନୁହନ୍ତି, ତା ହେଲେ ବାସ୍ତବରେ ପାଣ୍ଡିଆନଙ୍କ ପଦବୀ କ’ଣ ?
ଏହି ଜାଗାରେ ପାଣ୍ଡିଆନଙ୍କ ପରିଚୟ ଓ ପତିଆରାକୁ ପ୍ରଶାସନ ବ୍ୟବସ୍ଥା ଭିତରେ, ଗଣମାଧ୍ୟମରେ ଏବଂ ରାଜ୍ୟବାସୀଙ୍କ ମନରେ ପ୍ରତିଷ୍ଠା କରିବା ପାଇଁ ଅମଲାତନ୍ତ୍ରର ପେଞ୍ଚ ଖେଳିଛନ୍ତି ସରକାର । ସୂଚନା ଅଧିକାରୀରେ ପଚରାଯାଇଥିଲା 5-ଟି ବିଭାଗ ଅଛି ନା ନାହିଁ ଏବଂ ଓଡ଼ିଶା ଲୋକସଭା ଭବନରେ 5-ଟି ବିଭାଗ କେଉଁ ଜାଗାରେ ଅବସ୍ଥିତ ଓ ଏହାର ସଚିବ କିଏ ?