ଭୁବନେଶ୍ୱର,୨୮/୫(ସତ୍ୟପାଠ ବ୍ୟୁରୋ): ଏକଦା ଘନିଷ୍ଠ ବନ୍ଧୁ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାନ୍କ ସମ୍ପର୍କରେ କାହିଁକି ସୃଷ୍ଟି ହେଲା ଫାଟ | ଏନେଇ କେନ୍ଦ୍ରାପଡାରେ ନିର୍ବାଚନ ପ୍ରଚାର ସମୟରେ ଖୁଲାସା କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ | ଗତକାଲି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଜି ପ୍ରଚାର କରି ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାର ବିଜେପି ସାଂସଦ ପ୍ରାର୍ଥୀଙ୍କୁ ଦୁଇଥର ରାଜ୍ୟସଭା ଓ ଦୁଇଥର ଲୋକସଭା ପଠାଇଥିଲେ । ସାଂସଦ ହେବା ପରେ ସେ ନିଜ ପାଇଁ ଲାଗିଲେ ଓ ନିଜ କମ୍ପାନୀର ଲାଭ ପାଇଁ ଲାଗିଲେ । କମ୍ପାନୀ ପାଇଁ ରେଲୱେ ସାଇଡିଂ ଆଣିଲେ । କିନ୍ତୁ କେନ୍ଦ୍ରାପଡ଼ାକୁ ରେଲୱେ ଆଣିବାକୁ ଭୁଲିଗଲେ । ଫାଇନାନ୍ସ କମିଟିର ସଦସ୍ୟ ଭାବେ ନିଜ କମ୍ପାନୀର ଲୋନ୍ ଛାଡ଼ କଲେ । ସେ ଚାହୁଁଥିଲେ ଫାଇନାନ୍ସ କମିଟିର ଅଧ୍ୟକ୍ଷ ହେବା ପାଇଁ । କିନ୍ତୁ ମୁଖ୍ୟମନ୍ତ୍ରୀ ଅନୁଭବ କଲେ ଯେ ସେ ତାଙ୍କ ନିଜସ୍ୱ ଲାଭ ପାଇଁ ଏହା ଚାହୁଁଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେହିଦିନଠାରୁ ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ରୋଧାନ୍ୱିତ ହୋଇ ବିଭିନ୍ନ ଗୁଜବ ସୃଷ୍ଟି କଲେ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି କଲେ । ଏପରିକି ବିଭିନ୍ନ କେନ୍ଦ୍ରମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ତାଙ୍କ ଦେହ ଖରାପ ବିଷୟରେ ପଚାରିଥିଲେ । ସମସ୍ତେ କହିଥିଲେ ଯେ ଆମକୁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଆପଣଙ୍କ ଦେହ ଖରାପ ବିଷୟରେ କହିଛନ୍ତି । ସେ ମଧ୍ୟ ତାଙ୍କ ନିଜସ୍ୱ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ପ୍ରସାରଣ କଲେ । ତାଙ୍କର ଲୋଭ ଥିଲା ମୁଖ୍ୟମନ୍ତ୍ରୀ ସିଟ୍ । ଏଥିରୁ ଜାଣନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେ କିଭଳି ବିଶ୍ୱାସଘାତକତା କରିଛନ୍ତି ବୋଲି କହିଥିଲେ ପାଣ୍ଡିଆନ।
ସେପଟେ ନବୀନ ମଧ୍ୟ ବୈଜୟନ୍ତଙ୍କ ନାଁ ନନେଇ ଟାର୍ଗେଟ କରିଥିଲେ | ବୈଜୟନ୍ତଙ୍କ ଉଦ୍ଦେଶ୍ୟରେ ନବୀନ କହିଥିଲେ ଯେ, ମୁଁ ତାଙ୍କୁ ସାଂସଦ କଲି । କିନ୍ତୁ ସେ କେନ୍ଦ୍ରାପଡ଼ାବାସୀ ଓ ମୋ ସହିତ ବିଶ୍ୱାସଘାତକତା କଲେ । ୧୦ ବର୍ଷ ପାଇଁ ଏଠାରୁ ସାଂସଦ ହୋଇଥିଲେ । କିନ୍ତୁ ସେ କେବଳ ନିଜ ପାଇଁ ଓ ତାଙ୍କ କମ୍ପାନୀର ଲାଭ ପାଇଁ କାମ କଲେ ।
ସେପଟେ ବୈଜୟନ୍ତ ଏହି ଆରୋପର ସିଧା ଜବାବ ନ ଦେଇ ମୁଖ୍ୟମନ୍ତ୍ରୀ ଓ ଶ୍ରୀ ପାଣ୍ଡିଆନଙ୍କୁ ଆକ୍ଷେପ କରିଛନ୍ତି । ଗତକାଲି ପାଟକୁରାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସଭାରେ ବୈଜୟନ୍ତ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ପ୍ରମ୍ପଟିଂ । ସମ୍ପତ୍ତି ହାସଲ ପାଇଁ ମୁଁ ରାଜନୀତିକୁ ଆସିନାହିଁ । ମୁଁ ଲୋକଙ୍କ ସେବା କରିବାକୁ ଆସିଛି ବୋଲି କହିଛନ୍ତି ।
ତେବେ ଫାଇନାନ୍ସ କମିଟିର ଅଧ୍ୟକ୍ଷ ହେବାନେଇ ପାଣ୍ଡିଆନଙ୍କ ଅଭିଯୋଗର ବୈଜୟନ୍ତ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି |