ଭୁବନେଶ୍ୱର,୧୪/୮(ସତ୍ୟପାଠ ବ୍ୟୁରୋ): ଭିକେ ପାଣ୍ଡିଆନ୍ଙ୍କ ନାଁରେ ଏତଲା ଦେଲା ଓଡିଶା ସୂଚନା ଅଧିକାର ଅଭିଯାନ । ଓସା ପକ୍ଷରୁ ଆଜି କ୍ୟାପିଟାଲ ଥାନାରେ ଆଇନଜୀବୀ ସୁଧିର ଚରଣ ମହାନ୍ତି ପାଣ୍ଡିଆନଙ୍କ ନାଁରେ ଏତଲା ଦେଇଛନ୍ତି । ଅର୍ଥ ତୋଷରପାତ, ବିପୁଳ କଳା ଟଙ୍କାକୁ ଧଳା କରିବା ଅଭିଯୋଗରେ ପାଣ୍ଡିଆନଙ୍କ ନାଁରେ ଏତଲା ଦିଆଯାଇଛି । ସେହିପରି ଖଣି ମାଫିଆଙ୍କଠାରୁ କୋଟି କୋଟି ଟଙ୍କା ଉତ୍କୋଚ ନେବା ଓ ଏକାଧିକ କମ୍ପାନୀକୁ ଅନୁକମ୍ପା ଦେଖାଇବା ଭଳି ଗୁରୁତର ଅଭିଯୋଗ ପାଣ୍ଡିଆନଙ୍କ ନାଁରେ ହୋଇଛି।
ଏତଲାରେ କଣ ରହିଛି ଅଭିଯୋଗ?
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ସମୟରେ ଅଭିଯୋଗ ଶୁଣାଣି ନାଁରେ ପାଣ୍ଡିଆନ ହେଲିକ୍ୟାପ୍ଟର ନେଇ ସାରା ରାଜ୍ୟରେ ବୁଲୁଥିଲେ | ଏହି ସମୟରେ ବଡ଼ ବଡ଼ ଟେଣ୍ଟ ବାନ୍ଧି, ହଜାର ହଜାର ଲୋକଙ୍କୁ ଏକାଠି କରାଯାଉଥିଲା | ସେଠାରେ ଲୋକ ମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଉଥିଲା | ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ହେଲିପ୍ୟାଡ଼ ନିର୍ମାଣ କରାଯାଉଥିଲା | ହେଲେ ସୂଚନା ଅଧିକାର ଆଇନ ଜରିଆରେ ଜଣାପଡିଛି ଯେ, ପାଣ୍ଡିଆନଙ୍କ ଗସ୍ତ ଖର୍ଚ୍ଚର ହିସାବ କୌଣସି ସରକାରୀ କାର୍ଯ୍ୟାଳୟରେ ନାହିଁ | ଜଣେ ଜୁନିୟର ଅଫିସର ହେଲିକ୍ୟାପ୍ଟର ନେଇ ସାରା ରାଜ୍ୟରେ ବୁଲି ବୁଲି ସଭା କରୁଥିଲେ, ହେଲେ ସରକାରୀ ସ୍ତରରେ ଏନେଇ କୌଣସି ଟଙ୍କା ମଂଜୁର ହୋଇନାହିଁ | ଏଠାରେ ପ୍ରଶ୍ନ ଉଠୁଛି, ଏସବୁ ଖର୍ଚ୍ଚ କିଏ ବହନ କରୁଥିଲା ? ତେବେ ଖଣି ମାଫିଆ, ଜମି ମାଫିଆ, ଅଣ ଓଡ଼ିଆ କଣ୍ଟ୍ରାକ୍ଟର ମାନେ ପାଣ୍ଡିଆନଙ୍କ ଗସ୍ତ ପାଇଁ ଟଙ୍କା ଖର୍ଚ କରୁଥିବା ବିଭିନ୍ନ ସୂତ୍ରରୁ ଅଭିଯୋଗ ରହିଥିବା ଏତଲାରେ ଦର୍ଶାଯାଇଛି |
ଏନେଇ ତଦନ୍ତ କରି ପାଣ୍ଡିଆନ୍ଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯାଇଛି | ତେବେ ଏନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେଲେ ଆଗକୁ ଅଦାଲତ ଙ୍କ ଦ୍ୱାରସ୍ଥ ହେବେ ବୋଲି ଏତଲାକାରୀ ସୁଧିର ଚରଣ ମହାନ୍ତି କହିଛନ୍ତି |