ଭୁବନେଶ୍ୱର,୧୦/୮(ସତ୍ୟପାଠ ବ୍ୟୁରୋ): ଅଚାନକ ବଢିଥିଲା ରେସଲର ଅମନ ସେହରାଓ୍ବତଙ୍କ ଓଜନ । ସାରା ରାତି ଅନିଦ୍ରା ରହି ୧୦ଘଣ୍ଟାରେ କମାଇଲେ ୪.୬ କେଜି ଓଜନ । ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୭ କେଜି ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି ଅମନ ସେହରାଓ୍ବତ । ତେବେ ଅଲିମ୍ପିକ୍ସ ପଦକ ଯାଏଁ ଅମନଙ୍କ ଯାତ୍ରା ଏତେ ସହଜ ନଥିଲା । ସେମିଫାଇନାଲରେ ହାରିବା ପରେ ଅମନଙ୍କ ଓଜନ ଅଚାନକ ବଢି ୬୧.୫ କେଜି ହୋଇଯାଇଥିଲା । ବ୍ରୋଞ୍ଚ ପଦକ ପାଇଁ ମାତ୍ର ୧୦ଘଣ୍ଟା ମଧ୍ୟରେ ବଢିଥିବା ଓଜନ କମ୍ କରିଥିଲେ ଅମନ ।
୧୦ଘଣ୍ଟାରେ କମାଇଲେ ଓଜନ
ପ୍ରଥମେ ଅମନଙ୍କୁ ଦେଢ ଘଣ୍ଟାର ମ୍ୟାଟ୍ ସେସନ୍ କରାଇଥିଲେ ଦୁଇ ବରିଷ୍ଠ କୋଚ୍ । ଏହାପରେ ଘଣ୍ଟାଏ ଧରି ହଟ୍ ବାଥ୍ ନେଇଥିଲେ । ରାତି ସାଢେ ୧୨ଟାରେ ଜିମରେ ନନଷ୍ଟପ ଘଣ୍ଟାଏ ଧରି ଟ୍ରେଡମିଲରେ ଦୌଡିଥିଲେ ଅମନ । ଅଧିକ ଝାଳ ବହିବା ଓଜନ କମାଇବାରେ ସହାୟକ ହୋଇଥିଲା । ଏହାପରେ ୩୦ମିନିଟ୍ ବ୍ରେକ୍ ପରେ ୫ମିନିଟ ସଉନା ବାଥର ୫ଟି ସେସନ କରାଯାଇଥିଲା । ତେବେ ଏସବୁ ପରେ ବି ଅମନଙ୍କ ଓଜନ ୯ଶହ ଗ୍ରାମ ଅଧିକ ଥିଲା । ମସାଜ୍ ପରେ ତାଙ୍କୁ ଜଗିଂ କରିବାକୁ କହିଥିଲେ କୋଚ୍ । ୫ଟି ୧୫ମିନିଟ ବିଶିଷ୍ଟ ଦୌଡ ସେସନ ବି କରାଯାଇଛି । ଭୋର ସାଢେ ୪ଟା ବେଳକୁ ଅମନଙ୍କ ଓଜନ ୫୬.୯କେଜିରେ ପହଞ୍ଚିଯାଇଥିଲା । ଆଶ୍ବସ୍ତିର ନିଶ୍ବାସ ନେଇଥିଲେ କୋଚ୍ ଓ ନିଜେ ଅମନ ।
ସାରା ରାତି ଅନିଦ୍ରା ଥିଲେ ଅମନ
ଡାହିଆ କହିଛନ୍ତି, “ଓଜନ କାଟିବା ଆମ ରୁଟିନ, ଏହା ଆମ ପାଇଁ ସ୍ୱାଭାବିକ କିନ୍ତୁ ଗତ ଦିନ (ଭିନେଶଙ୍କ ସହ) ଯାହା ଘଟିଥିଲା ସେଥିପାଇଁ ଟେନସନ, ଅନେକ ଟେନସନ ଥିଲା। ଆମେ ଅନ୍ୟ ଏକ ପଦକ ହାତରୁ ଖସିବାକୁ ଦେଲୁ ନାହିଁ।”
ସମସ୍ତ କଠିନ ପରିଶ୍ରମ ଫଳପ୍ରଦ ହେଲା ଯେତେବେଳେ ଅମନ ବ୍ରୋଞ୍ଜ ପଦକ ଜିତି ଶୁକ୍ରବାର ଦିନ ପୁଏର୍ତୋ ରିକୋର ଡାରିଆନ୍ କ୍ରୁଜଙ୍କୁ ପରାସ୍ତ କରି ଭାରତର ସର୍ବକନିଷ୍ଠ ଅଲିମ୍ପିକ୍ ପଦକ ବିଜେତା ହୋଇଥିଲେ।
ଓଜନ କମ୍ କରିବାକୁ ସାରା ରାଜି ଅନିଦ୍ରା ରହିଥିଲେ ଅମନ । ତାଙ୍କୁ ଉଷୁମ ପାଣିରେ ଲେମ୍ବୁ ଓ ମହୁ ଦିଆଯାଉଥିଲା । ଅଳ୍ପ କଫି ମଧ୍ୟ ପିଇଥିଲେ। ରେସଲିଂର ଭିଡିଓ ଦେଖିଥିଲେ ଅମନ । ପ୍ରତିଘଣ୍ଟାରେ ଓଜନ ମାପି ଚାଲିଥିଲେ । ଭିନେଶ ଫୋଗଟଙ୍କ ଘଟଣା ପରେ ଓଜନ କମାଇବାକୁ ନେଇ ଅଧିକ ସଚେତନ ରହିଥିଲେ ଅମନଙ୍କ କୋଚ୍ । ଦେଶ ପାଇଁ ଆଉ ଏକ ମେଡାଲ୍ ହାତଛଡା କରିବାକୁ କୌଣସି ମତେ ଚାହିଁନଥିଲେ । ଆଉ ଅମନଙ୍କ କଠିନ ପରିଶ୍ରମ ତାଙ୍କୁ ମିଳିଥିଲା । ଦେଶର ସର୍ବକନିଷ୍ଠ ଅଲିମ୍ପିକ୍ସ ମେଡାଲ୍ ବିଜେତା ହୋଇଥିଲେ ଅମନ ସେହରାଓ୍ବତ ।