ରିମାଣ୍ଡ ଅବଧି ଶେଷ ହେବା ପାରେ ୧୪ ଦିନ ପାଇଁ ଜେଲ ହାଜତକୁ ଗଲେ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଆସନ୍ତା ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଉଭୟଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଇଡି ଗିରଫ କରିବା ପରେ ପ୍ରାୟ ୮ ଦିନ କାଳ ରିମାଣ୍ଡରେ ନେଇ ଜେରା କରିଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେବାରୁ ସେମାନଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇ ଦିଆଯାଇଛି।ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ତାରିଖରେ ହେବ।

ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଉଭୟଙ୍କୁ କୋର୍ଟରେ ହାଜାର କରିବା ପରେ ଆଉ ୧୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ। ଇଡି କହିଥିଲା ଯେ ଘଟଣାରରେ ତଦନ୍ତ ବେଳେ ଅନେକ ନୂଆ ତଥ୍ୟ ମିଳିଛି। ଏସବୁ ବିଷୟରେ ଅଧିକ ଜେରାର ଆବଶ୍ୟକତା ରହିଛି। ତେବେ ପିଏମଏଲଏ କୋର୍ଟର ସ୍ୱତନ୍ତ୍ର ବିଚାରପତି ଜୀବନ କୁମାର ସାଧୁ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ଏଥିସହ ପାର୍ଥ ଓ ଅର୍ପିତାଙ୍କୁ ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦେଇଥିଲେ। ପାର୍ଥ ଓ ଅର୍ପିତାଙ୍କୁ ଜୁଲାଇ ୨୩ ତାରିଖରୁ ଇଡି ନିଜ ହେପାଜତରେ ରଖିଥିଲା। ବେଆଇନ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଇଡି ଜାଣିବାକୁ ପାଇଛି। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଅର୍ପିତାଙ୍କର ଦୁଇଟି ଘରୁ ନଗଦ ୫୦ କୋଟି ଟଙ୍କା ଓ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ ହୋଇଥିଲା। ଏହାପରେ ହିଁ ପ୍ରଥମେ ପାର୍ଥ ଓ ପରେ ଅର୍ପିତାଙ୍କୁ ଗିରଫ କରାଯାଇଥିଲା। ଆଜିର ଶୁଣାଣି ବେଳେ ପାର୍ଥଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ କୋର୍ଟ ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।

Related Posts