କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି (ଏସଏସସି ସ୍କାମ) ମାମଲାରେ ଗିରଫ ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କ ପାଇଁ ଅଡ଼ୁଆ ବଢ଼ୁଥିବା ବେଳେ, ଏହାରି ମଧ୍ୟରେ ଦଳ ତାଙ୍କୁ ବହିଷ୍କାର କରିଛି । ବର୍ତ୍ତମାନ ଇଡି ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି। ଘନଘନ ପଚରାଉଚରା ଚାଲିଥିବା ବେଳେ, ବର୍ତ୍ତମାନ ଇଡି ପାଇଁ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ସେ ପୁଣି ପାର୍ଥ ଚାଟାର୍ଜୀଙ୍କ ଗାଧୁଆପାଧୁଆ। ପାର୍ଥ ଚାଟାର୍ଜୀଙ୍କ ମେଦବହୁଳତା ଏହାର କାରଣ ବୋଲି କୁହାଯାଉଛି |
ମିଳିଥିବା ସୂଚନା ମୁତାବକ ୧୧୧ କିଲୋଗ୍ରାମ ପାର୍ଥ ଚାଟାର୍ଜୀଙ୍କ ପାଇଁ ଗାଧୋଇବା ଏକ ସମସ୍ୟା ଭାବେ ଉଭା ହୋଇଛି | ପାର୍ଥ ତାଙ୍କ ଘରେ ଗାଧୋଇବାକୁ ଏକ ଷ୍ଟୁଲ ବ୍ୟବହାର କରୁଥିଲେ | ସେ ଷ୍ଟୁଲରେ ବସି ଗାଧୋଉଥିବାବେଳେ ତାଙ୍କ ସ୍ନାନ ପାଇଁ ଇଡ଼ିକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପଡିଛି । ସେହିପରି ପାର୍ଥ ନିଜ ଘରେ ନିଜେ ଜୋତା ପିନ୍ଧୁନଥିଲେ, ବରଂ କେହି ନା କେହି ତାଙ୍କୁ ଜୋତା ପିନ୍ଧାଇଦେଉଥିଲେ |
ଏହି ସମସ୍ୟା ମଧ୍ୟ ଇଡି ସାମ୍ନାରେ ଅଛି | କୋଟି କୋଟି ଟଙ୍କାର ମାଲିକ ପାର୍ଥ ଚାଟାର୍ଜୀ ଏକ ବିଳାସପୂର୍ଣ୍ଣ ଏବଂ ଆରାମଦାୟକ ଜୀବନଯାପନ କରୁଥିଲେ, ଯେଉଁଠାରେ ତାଙ୍କର ସ୍ନାନ କରିବା ପାଇଁ ସହାୟକମାନେ ମଧ୍ୟ ଥିଲେ | ଇଡି ସୂତ୍ର ଅନୁଯାୟୀ ପାର୍ଥ ଚାଟାର୍ଜୀ ନିଜେ ଗାଧୋଇପାରୁନଥିବାରୁ ସେଥିପାଇଁ ସେ ଦୁଇ ଦିନ ଧରି ଇଡି ହେପାଜତରେ ଗାଧୋଇ ନଥିଲେ। ଏହାର କାରଣ ପଚରାଯିବାରୁ ଚାଟାର୍ଜୀ କହିଛନ୍ତି ଯେ ସେ ନିଜେ ଗାଧୋଇବାକୁ ଅସମର୍ଥ ଏବଂ ତାଙ୍କୁ ସ୍ୱତନ୍ତ୍ର ଷ୍ଟୁଲ ଦରକାର |
ଏହା ପରେ, ଯେତେବେଳେ ଇଡି ଅଧିକାରୀମାନେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ତାଙ୍କୁ ଗାଧୋଇବାରେ ସାହାଯ୍ୟ କରିବାକୁ ଡାକିଥିଲେ, ସେତେବେଳେ ସେ ଅଭିଯୋଗ କରିଥିଲେ ଯେ ବାଥରୁମ୍ ଛୋଟ ଥିବାରୁ ଗାଧୋଇପାରିବେ ନାହିଁ | ଏହାପରେ ଇଡି ଅଧିକାରୀ ତାଙ୍କ ପାଇଁ ବଡ ବାଥରୁମର ବ୍ୟବସ୍ଥା କରିବାକୁ ପଡିଥିଲା | ଯେଉଁଠାରେ କେବଳ ଗାଧୋଇବା ନୁହେଁ ବରଂ ଇଡି କର୍ମଚାରୀମାନେ ତାଙ୍କୁ ପୋଷାକ ପିନ୍ଧିବାରେ ସାହାଯ୍ୟ କରିବାକୁ ପଡୁଛି।
