ଚାରିଆଡୁ ସମାଲୋଚନା ପରେ ନିଜ ମନ୍ତବ୍ୟକୁ ନେଇ ସ୍ପଷ୍ଟୀକରଣ ଦେଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମରାଠୀମାନଙ୍କ ବିଷୟରେ ବିବାଦୀୟ ବୟାନ ଦେବା ପରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି | ଆଉ ଏହାପରେ ରାଜ୍ୟପାଳ ତାଙ୍କ ବୟାନକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ମରାଠୀମାନଙ୍କୁ ଆଘାତ ଦେବା ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା । ସେ କହିଛନ୍ତି ଯେ ‘ମୁଁ କେବଳ ଗୁଜରାଟୀ ଏବଂ ରାଜସ୍ଥାନବାସୀଙ୍କ ଅବଦାନ ବିଷୟରେ କହିଥିଲି। ମରାଠୀ ଲୋକମାନେ କଠିନ ପରିଶ୍ରମ କରି ମହାରାଷ୍ଟ୍ର ନିର୍ମାଣ କରିଥିଲେ, ସେଥିପାଇଁ ଆଜି ଅନେକ ମରାଠୀ ଉଦ୍ୟୋଗୀ ପ୍ରସିଦ୍ଧ ମଧ୍ୟ ହୋଇଛନ୍ତି’ |

ସୂଚନା ଥାଉ କି ଶୁକ୍ରବାର ଦିନ ମୁମ୍ବାଇର ଅନ୍ଧେରୀରେ ସ୍ବର୍ଗତା ଶାନ୍ତିଦେବୀ ଚମ୍ପକଲାଲ୍‌ଜୀ କୋଠାରୀଙ୍କ ନାମରେ ଏକ ଛକର ନାମକରଣ ଉତ୍ସବରେ ରାଜ୍ୟପାଳ ବି.ଏସ୍. କୋଶିୟାରି କହିଥିଲେ ଯେ, ‘ବେଳେ ବେଳେ ମୁଁ ଲୋକଙ୍କୁ କୁହେ ଯେ, ଯଦି ମହାରାଷ୍ଟ୍ର ବିଶେଷକରି, ମୁମ୍ବାଇ ଓ ପୁଣେରୁ ଗୁଜରାଟୀ ଏବଂ ରାଜସ୍ଥାନୀମାନଙ୍କୁ ହଟାଇ ଦିଆଯାଏ ଆପଣମାନଙ୍କ ପାଖରେ ଆଉ ଅର୍ଥ ନ ଥିବ। ଗୁଜରାଟୀ ଏବଂ ରାଜସ୍ଥାନୀମାନଙ୍କୁ ତଡ଼ି ଦିଆଗଲେ ମହାରାଷ୍ଟ୍ର ଅର୍ଥଶୂନ୍ୟ ହୋଇଯିବ ଏବଂ ମୁମ୍ବାଇକୁ ଆଉ ଭାରତର ଅର୍ଥନୈତିକ ରାଜଧାନୀ କୁହାଯିବ ନାହିଁ | ଏହାପରେ ତାଙ୍କର ମନ୍ତବ୍ୟ ପାଇଁ ତାଙ୍କୁ ଚାରିଆଡୁ ସମାଲୋଚନା ର ଶିକାର ହେବାକୁ ପଡ଼ିଥିଲା।

Related Posts