ନୀଳଗିରି : ନଭେମ୍ବରରୁ ନୀଳଗିରିକୁ ଗଡ଼ିବ ପେସେଞ୍ଜର ଟ୍ରେନ। ରେଳବିଭାଗର ଡିଆରଏମ ଗୁରୁବାର ନୂଆ ରେଳଷ୍ଟେସନ ତିଆରି କାମର ତଦାରଖ କରିବା ପରେ ଏନେଇ ସୂଚନା ଦେଇଛନ୍ତି ।

ଖବର ଅନୁସାରେ, ବାଲେଶ୍ଵର ଜିଲ୍ଲା ନୀଳଗିରିକୁ ପେସେଞ୍ଜର ଟ୍ରେନ ଚଲାଇବାକୁ ଅନେକ ଦିନରୁ ଦାବି ହେଉଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ଗୋପୀନାଥପୁରରେ ଏକ ନୂଆ ରେଳ ଷ୍ଟେସନ ତିଆରି କରି ପେସେଞ୍ଜର ଟ୍ରେନ ଚଳାଇବା ପାଇଁ ଦାବିପତ୍ର ଲେଖିବା ସହ ରେଳମନ୍ତ୍ରୀଙ୍କୁ ଭେଟି ଶେଷରେ ସଫଳ ହୋଇଥିଲେ।

ପ୍ରଧାନମନ୍ତ୍ରୀ ରେଳଷ୍ଟେସନ ନିର୍ମାଣ କରିବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ସଙ୍କେତ ଦେବାପରେ ଯୁଦ୍ଧକାଳୀନ ଭିତ୍ତିରେ ଷ୍ଟେସନ ତିଆରି କାମ ଚାଲିଛି। ରେଳବିଭାଗର ଡିଆରଏମ ମନୋରଞ୍ଜନ ପ୍ରଧାନ ଓ ଉପରିସ୍ଥ ଅଧିକାରୀ ଗୋପୀନାଥପୁରରେ ଥିବା ଷ୍ଟେସନ ତିଆରି କାର୍ଯ୍ଯ ସ୍ଥଳରେ ପହଞ୍ଚି କାର୍ଯ୍ୟର ତଦାରଖ କରିଛନ୍ତି। ସାଙ୍ଗରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।

ନିର୍ମାଣ ହେଉଥିବା ଷ୍ଟେସନ ବିଲ୍ଡିଂ ଗୃହ, ସିଗନାଲ ଲାଇଟ ପୋଷ୍ଟ ଓ ଅନ୍ୟ ସବୁ କାମର ତଦାରଖ କରିଥିଲେ। ତେବେ ଖୁବଶୀଘ୍ର କାର୍ଯ୍ୟ ସରିବା ସହ ନଭେମ୍ବର ମାସରେ ଷ୍ଟେସନ କାର୍ଯ୍ୟକ୍ଷମ ହେବାକୁ ଆଶାବାନ୍ଧି ଥିବା ବେଳେ ପେସେଞ୍ଜର ଟ୍ରେନ ଗଡିବ ବୋଲି ଡିଆରଏମ ଅଞ୍ଚଳବାସୀଙ୍କୁ ସୂଚନା ଦେଇଛନ୍ତି ।