ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅଣ୍ଟାରେ ପେଟିଏମର କ୍ୟୁଆର କୋଡ୍ ସ୍କାନର୍ ଲଗାଇ ଓକିଲ ମାନଙ୍କଠାରୁ ଅନଲାଇନ୍ ବକ୍ସିସ୍ ନେଉଥିଲେ ଆଲ୍ହାବାଦ ହାଇକୋର୍ଟ ବିଚାରପତିଙ୍କ ଅର୍ଦ୍ଦଳି । ପ୍ରଧାନ ବିଚାରପତି ରାଜେଶ ବିନ୍ଦଲଙ୍କ ନିର୍ଦ୍ଦେଶରେ ଏହି ଅର୍ଦ୍ଦଳିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସେ ଏଭଳି ନିଆରା ଢଙ୍ଗରେ ବକ୍ସିସ୍ ନେଉଥିବାର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଧାନ ବିଚାରପତି ଏହାକୁ ଗୁରୁତର ସହ ନେଇ ରେଜିଷ୍ଟ୍ରାରଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହାପରେ ଆହ୍ଲାବାଦ ହାଇକୋର୍ଟ କ୍ୟାମ୍ପସରେ କୋର୍ଟ ପୋଷାକରେ ପେଟିଏମ ଓ୍ବାଲେଟ ଲଗାଇ ଓକିଲଙ୍କ ଠାରୁ ବକ୍ସିସ୍ ନେଉଥିବା କୋର୍ଟର ଅର୍ଦ୍ଦଳି ରାଜେନ୍ଦ୍ର କୁମାରଙ୍କୁ ମହାପ୍ରବନ୍ଧକ ନିଲମ୍ବିତ କରିଛନ୍ତି । ପ୍ରଧାନ ବିଚାରପତି ଭାଇରାଲ ଫଟୋକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିରେ ହାଇକୋର୍ଟର ମହାନିର୍ଦ୍ଦେଶକ ଆଶିଷ ଗର୍ଗ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି । ନିଲମ୍ବନ ସମୟରେ ରାଜେନ୍ଦ୍ର କୁମାର ନଜାରଟ ସେକ୍ସନରେ ସଂଲଗ୍ନ ରହିବେ । ତେବେ କୋର୍ଟଙ୍କ ଅନୁମତି ବିନା ନିଜ ଷ୍ଟେସନ ଛାଡି ପାରିବେ ନାହିଁ । ଏହି ସମୟ ମଧ୍ୟରେ ତାଙ୍କୁ ନିଲମ୍ବନ ଭତ୍ତା ପ୍ରଦାନ କରାଯିବ । ଅଭିଯୋଗ ହୋଇଛି ଯେ ସେ କୋର୍ଟ ପରିସରରେ ତାଙ୍କ ୟୁନିଫର୍ମରେ ପେଟିଏମ୍ ୱାଲେଟ୍ ଧରି ବୁଲୁଥିଲେ । ପେଟିଏମ୍ ୱାଲେଟ୍ ମାଧ୍ୟମରେ ଓକିଲମାନଙ୍କ ଠାରୁ ଅନଲାଇନ୍ ଟିପ୍ସ ନେଉଥିଲେ ।
